fbpx

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି

କେପଟାଉନ: ଚଳିତ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜର ଦୁଇ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଭାରତ ପ୍ରଥମ ମ୍ୟାଚରେ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିବାରୁ ସିରିଜ ୧-୧ରେ ବରାବର ରହିଛି । ତେଣୁ ଆସନ୍ତା ୧୧ ତାରିଖରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ମ୍ୟାଚର ଫଳାଫଳ ସିରିଜ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ତେଣୁ ଏହି ମ୍ୟାଚରେ ଭାରତ କିରି ସଫଳ ହେବ ,ସେଥିାଇଁ ଭାରତୀୟ ମ୍ୟାନେଜମେଣ୍ଟ ସହିତ କୋଚ ଦ୍ରାବିଡ ଓ ଅଧିନାୟକ ବିରାଟ କୋହଲିଙ୍କର ବିଚାର ବିମର୍ଷ ଚାଲିଛି । ତେବେ ଦକ୍ଷିଣ ଆଫ୍ରିକା ପିଚ ପେସ୍‌ ବୋଲରଙ୍କୁ ସୁହାଉ ଥିବାରୁ ଭାରତ ଏ ଦିଗରେ ଅଧିକ ଶକ୍ତିଶାଳୀ ହେବା ପାଇଁ ଚାଲିଛି ସ୍ୱତନ୍ତ୍ର ରଣନୀତି ।

ଦ୍ୱିତୀୟ ଟେଷ୍ଟ ଅବସରରେ ଭାରତୀୟ ଦଳର ପେସ୍‌ ବୋଲର ମହମଦ ସିରାଜ ଆହତ ହୋଇଥିଲେ । ମାଂସପେଶୀରେ ଯତ୍ନଣା ଯୋଗୁଁ ସେ ଉଭୟ ଇନିଂସରେ କେବଳ ୧୫ ଓଭର ବୋଲିଂ କରିବାକୁ ସମର୍ଥ ହୋଇଥିଲେ । ତେଣୁ ତୃତୀୟ ଟେଷ୍ଟ ପାଇଁ ତାଙ୍କ ସ୍ଥାନରେ ଅନ୍ୟ ଦୁଇ ଭେଟେରାନ ପେସ୍‌ ବୋଲର ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଦଳରେ ସାମିଲ କରାଯିବ ସେ ନେଇ ଆଲୋଚନା ଜାରି ରହିଛି । ତେବେ ଇଶାନ୍ତ ଶର୍ମା ବହୁ ଦିନ ଧରି ଖେଳି ନ ଥିଲେ ହେଁ ତାଙ୍କର ବିୁଳ ଅଭିଜ୍ଞତା ବିଶେଷ ଉପଯୋଗୀ ହେବ ବୋଲି ଅନୁମାନ କରାଯାଏ । କାରଣ ସେ ୧୦୦ରୁ ଉଦ୍ଧ୍ୱର୍ ଟେଷ୍ଟ ଖେଳିଛନ୍ତି । ଦ୍ୱିତୀୟତଃ ତାଙ୍କର ଉଚ୍ଚତା ୬ ଫୁଟ ୩ ଇଞ୍ଚରୁ ଅଧିକ । ତେଣୁ ଦକ୍ଷିଣ ଆଫ୍ରିକା ପିଚରେ ସେ ବଲକୁ ଭଲ ସୁଇଙ୍ଗ କରି ପାରିବେ । କାରଣ ଦକ୍ଷିଣ ଆଫ୍ରିକାର ଦୁଇ ପେସ୍‌ ବୋଲର ଡୁଆନେ ଅଲିଭର ଓ ମାର୍କୋ ଜାନସେନଙ୍କ ଉଚ୍ଚତା ଅଧିକ ଦୃଷ୍ଟିରୁ ସେ ଅନ୍ୟ ବୋଲରଙ୍କ ଅପେକ୍ଷା ବିଶେଷ ସଫଳ ହୋଇ ଆସୁଛନ୍ତି । ଦ୍ୱିତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ଉପରେ ଏହି ଦୁଇ ବୋଲର ବଡ ପ୍ରଭାବ ପକାଇଥିଲେ । ତେଣୁ ଇଶାନ୍ତ ଶର୍ମାଙ୍କୁ ତୃତୀୟ ଟେଷ୍ଟରେ ଖେଳାଇବା ପାଇଁ କୋଚ ଦ୍ରାବିଡ ଓ ଅଧିନାୟକ କୋହଲି ଆଗ୍ରହୀ ଅଛନ୍ତି ।

ଅନ୍ୟ ପକ୍ଷରେ ୩୪ ବର୍ଷୀୟ ପେସ୍‌ ବୋଲର ଉମେଶ ଯାଦବ ନିକଟ ଅତୀତରେ ଇଶାନ୍ତଙ୍କ ଠାରୁ ଭଲ ବୋଲିଂ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ସେ ମଧ୍ୟ ଅତି ଚମତ୍କାର ଭାବେ ବଲକୁ ସୁଇଙ୍ଗ କରି ପାରୁଛନ୍ତି । ଏଠାକାର ପିଚରେ ସେ ବରାବର ସଫଳ ହେବେ ବୋଲି ବିଶ୍ୱାସ କରାଯାଏ । ତେଣୁ ଏହି ଦୁଇ ପେସରଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଗୁରୁତ୍ୱୂର୍ଣ୍ଣ । ଅନ୍ୟ ପକ୍ଷରେ ଭାରତ ପାଇଁ ତୃତୀୟ ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କାରଣ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ ସିରିଜ ଜିତି ପାରି ନ ଥିବା ବେଳେ ଏଥର ସୁଯୋଗ ରହିଛି । ତେଣୁ ଏହି ଶେଷ ମ୍ୟାଚ ଜିତିବା ଭାରତ ପାଇଁ ବଡ ଆହ୍ୱାନ ଓ ଚାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏହି ମ୍ୟାଚ ଜିତିଲେ ଭାରତ ନୂଆ ଇତିହାସ ରଚିବ, ମାତ୍ର ହାରିଗଲେ ପୁଣି ପୂର୍ବ ରି ବିଫଳ ହେବା ସହିତ ବହୁ ଦିନର ଅଭିଳାଷ ପୂରଣ ଦିଗରେ ବିଫଳ ହେବ ।

Get real time updates directly on you device, subscribe now.