ଦିବାରାତ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ : କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରୋହିତ ବାହିନୀ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ଶ୍ରୀଲଙ୍କା
ବେଙ୍ଗାଲୁର: ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ। ସ୍ଥାନୀୟ ଚିନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପଞ୍ଜାବର ମୋହାଲିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ ସଫଳ ହୋଇ ଭାରତ ଚଳିତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ କ୍ଳିନ୍ ସୁଇପ ବିଜୟ ଲକ୍ଷ୍ୟ ରଖିଛି । ତେବେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ଦିବାରାତ୍ର ମ୍ୟାଚ ହୋଇ ଥିବାରୁ ଫଳାଫଳ ନେଇ ପୂର୍ବରୁ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଭାରତୀୟ ଦଳର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ।
ସୂଚନା ଯୋଗ୍ୟ ଯେ, ଭାରତ ପାଇଁ ଏହା ହେବ ତୃତୀୟ ଦିବାରାତ୍ର ମ୍ୟାଚ । ଫ୍ଲଡ ଲାଇଟରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ଦିବାରାତ୍ର ମ୍ୟାଚରେ ପିଙ୍କବଲ୍ ବ୍ୟବହାର କରାଯାଏ । ଭାରତ ୨୦୧୯ରେ ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଖେଳିଥିଲା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତ କେବଳ ଦୁଇ ଦିନ ମଧ୍ୟରେ ବାଂଲାଦେଶକୁ ହରାଇଥିଲା । ମାତ୍ର ୨୦୨୦ରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ କେବଳ ୩୬ ରନ କରି ଅଲ ଆଉଟ ହୋଇ ଯାଇଥିଲା । ଟେଷ୍ଟ କ୍ରିକେଟରେ ଭାରତର ଏହା ହେଉଛି ସର୍ବନିମ୍ନ ସ୍କୋର । ତେବେ ଗତ ବର୍ଷ ଗୁଜରାଟର ଅହମଦାବାଦ ସ୍ଥିତ ବିଶ୍ୱର ସର୍ବ ବୃହତ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତ ବଡ ବିଜୟ ହାସଲ କରିଥିଲା । ଭାରତୀୟ ସ୍ପିନର ଅକ୍ଷର ପଟେଲ ଏହି ମ୍ୟାଚରେ ୧୧ ୱିକେଟ ଅକ୍ତିଆର କରିଥିବା ବେଳେ ଭାରତ ଦୁଇ ଦିନ ମଧ୍ୟରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ତେଣୁ ଚଳିତ ଶ୍ରୀଲଙ୍କା ବିପକ୍ଷ ସିରିଜର ଏହି ପିଙ୍କ୍ ବଲ ଟେଷ୍ଟରେ ଭାରତ ପୁଣି ଆଉ ଏକ ନିଆରା ବିଜୟ ଲକ୍ଷ୍ୟ ରଖିଛି ।