fbpx

କରୋନା ଯୁଦ୍ଧରେ ଜିତିଲା ଭାରତ: ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୧: ଆଜି ଭାରତବର୍ଷରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୩୬୦୦ କେନ୍ଦ୍ରରେ ଟିକାକରଣର ଉଦ୍ଘାଟନ କରିଛନ୍ତି । ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଡ୍ରାଇଭର ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, କରୋନା ଲଢ଼େଇରେ ଆଜି ହେଉଛି ଏକ ଐତିହାସିକ ମୁହୂର୍ତ୍ତ । ଦିନରାତି ପରିଶ୍ରମ କରି ଦେଶର ବୈଜ୍ଞାନିକମାନେ ଏହି ଟିକା ପ୍ରସ୍ତୁତ କରିଛନ୍ତି । କମ ସମୟ ମଧ୍ୟରେ ଦେଶର ବୈଜ୍ଞାନିକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପରେ ପରବର୍ତ୍ତୀ ପର୍ଯ୍ୟାୟ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯିବ । ଆଜିର ଦିନଟିକୁ କେବଳ ଭାରତବାସୀ ନୁହେଁ, ସମଗ୍ର ବିଶ୍ୱବାସୀ ଅପେକ୍ଷା କରି ରହିଥିଲେ । ଟିକାକରଣର ସଫଳତା ଭାରତକୁ ବିଶ୍ୱ ଦରବାରରେ ନିଜର ସାମର୍ଥ୍ୟର ପରିଚୟ ପ୍ରଦାନ କରିଛି । ଟିକା ନେବା ସମୟରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ ଟିକା ସମସ୍ତଙ୍କୁ ମାଗଣାରେ ପ୍ରଦାନ କରାଯିବ ।

ଭାରତ କରୋନା ମହାମାରୀ ସମୟରେ ଯେପରି ଭାବେ ଲଢ଼େଇ ଜାରି ରଖିଥଲା, ତାହା ବିଶ୍ୱବାସୀଙ୍କୁ ଚକିତ କରିଥିଲା । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଏହି ଲଢ଼େଇ କରିଥିଲେ । ସର୍ବପ୍ରଥମେ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ତେବେ ଟିକା ନେବା ପରେ ମଧ୍ୟ ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.