ଏସିଆନ ଗେମ୍ସ: ଭାରତକୁ ମିଳିଲା ପ୍ରଥମ ପଦକ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ଶୁଟିଂରେ ମହିଳା ଟିମକୁ ରୌପ୍ୟ ପଦକ ମିଳିଛି । ୧୦ ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ଭାରତ ଏହି ସଫଳତା ହାସଲ କରିଛି । ମେହୁଲି ଘୋଷ, ରମିତା, ଅଶି ଚୋକ୍ସି ଭାରତ ପାଇଁ ଏହି ସଫଳତା ଆଣିଛନ୍ତି । ରୌପ୍ୟ ପଦକ ସହ ଭାରତ ଚୀନର ହ୍ୱାଙ୍ଗଝୁଠାରେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡ଼ାରେ ନିଜର ବିଜୟଯାତ୍ରା ଆରମ୍ଭ କରିଛି ।

ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡରେ ତିନି କ୍ରୀଡ଼ାବିତଙ୍କର ମୋଟ ଶଟ ୧୮୮୬.୦ ପଏଣ୍ଟରେ ପହଞ୍ଚିବାରୁ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଚୀନ ଏହି ଇଭେଣ୍ଟରେ ୧୮୯୬.୦ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଓ ମଙ୍ଗୋଲିଆ ୧୮୮୦.୦ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛି । ରମିତା ଏହି ଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ କରିବା ସହ ୬୩୧.୯ ପଏଣ୍ଟ ପାଇଥିଲେ । ଅନ୍ୟପକ୍ଷରେ ମେହୁଲି ୬୩୦.୮ ପଏଣ୍ଟ ସହ ପଞ୍ଚମ ଓ ଚୋକ୍ସି ଅଷ୍ଟମ ସ୍ଥାନ ସହ ୬୨୩.୩ ପଏଣ୍ଟ ପାଇଥିଲେ ।

୧୯ତମ ଏସୀୟ କ୍ରୀଡ଼ାର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଭାରତୀୟ ଖେଳାଳି ଏକାଧିକ ଇଭେଣ୍ଟରେ ଭାଗ ନେବେ । ଭାରତ ପକ୍ଷରୁ ମୋଟ ୬୫୫ ଜଣ ଖେଳାଳି ଏଥିରେ ଭାଗ ନେଇଛନ୍ତି । ଭାରତ ୪୦ଟି ବିଭାଗରେ ନିଜର ପାରଦର୍ଶିତା ଦେଖାଇବ । ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍ ବାଂଲାଦେଶକୁ ସେମିଫାଇନାଲରେ ଭେଟୁଥିବାରୁ ତା’ ଉପରେ ସମସ୍ତଙ୍କର ନଜର ରହିଛି ।