fbpx

ଭାରତକୁ ପ୍ରଶଂସା କରୁଛି ସାରା ଦୁନିଆ: ‘ଅପରେସନ ଗଙ୍ଗା’ ପରେ ‘ଅପରେସନ ଅଜୟ’ର ଶକ୍ତି ଦେଖୁଛନ୍ତି ବିଶ୍ୱବାସୀ

ନୂଆଦିଲ୍ଲୀ: ଦିନ ଥିଲା ବିଶ୍ୱରେ ଭାରତକୁ କୌଣସି ରାଷ୍ଟ୍ର ଗୁରୁତ୍ୱ ଦେଉନଥିଲେ । ମାତ୍ର ଆଜି ସମୟ ବଦଳିବା ସହିତ ଭାରତରେ ଅନେକ ପରିବର୍ତ୍ତନ ଘଟିଛି । ଅତୀତର ଭାରତ ଆଉ ଆଜିର ଭାରତ ଭିତରେ ବହୁତ ଫରକ ଅଛି ବୋଲି ଏକଦା ମନ୍ତବ୍ୟ ଦେଇଥିଲେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀଙ୍କ ଉକ୍ତ ମନ୍ତବ୍ୟ ଶତ ପ୍ରତିଶତ ଠିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଭାରତ ବିଭିନ୍ନ ଉଲ୍ଲେଖନୀୟ ତଥା ଜନହିତୈଷୀ ପଦକ୍ଷେପ ଗ୍ରହଣ କରି ବିଶ୍ୱବାସୀଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛି ।

କରୋନା ମହାମାରୀ ସମୟରେ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତି, ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଶାନ୍ତି ସ୍ଥାପନ, ଆତଙ୍କବାଦର ମୂଳପୋଛ ଆଦି ବିଭିନ୍ନ ପ୍ରସଙ୍ଗରେ ଭାରତ ବିଶ୍ୱରେ ଶାନ୍ତିର ଦୂତ ଭାବେ ଉଭା ହୋଇଛି । ବିଭିନ୍ନ ଦେଶକୁ କୋଭିଡ୍ ଟିକା ପଠାଇ ଭାରତ ବହୁ ଜୀବନ ବଞ୍ଚାଇବା ସହିତ ଆତଙ୍କବାଦ ବିରୋଧରେ ନିଜର କଠୋର ଆଭିମୁଖ୍ୟ ଗ୍ରହଣ କରି ଆସିଛି । ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଭାରତ ନିଜ ଦେଶର ନାଗରିକଙ୍କ ସହିତ ବିଭିନ୍ନ ଦେଶର ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିଥିଲା ।

ସେହିପରି ବର୍ତ୍ତମାନ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ଭାରତ ଆରମ୍ଭ କରିଛି ‘ଅପରେସନ ଅଜୟ’ । ଏହି ଅପରେସନ ମାଧ୍ୟମରେ ଭାରତ ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ସହିତ ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ନିଜ ଦେଶରେ ପହଞ୍ଚାଇ ପାରିଛି । ବିଭିନ୍ନ ସମୟରେ ବିଶ୍ୱ ବକ୍ଷରେ ସୃଷ୍ଟି ହେଉଥିବା ଯୁଦ୍ଧ ସମୟରେ ଅନେକ ଦେଶ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବାକୁ ପଛଘୁଞ୍ଚା ଦେଉଥିବାର ଦେଖାଯାଇଛି । ମାତ୍ର ଭାରତ ନିଜର ନାଗରିକଙ୍କ ସହ ନିଜ ପରିବାରର ସଦସ୍ୟଙ୍କ ପରି ଛିଡ଼ା ହୋଇଛି ।

ମୋଦୀଙ୍କ ସୁଚତୁର ରଣନୀତି ପାଇଁ ଆଜି ବିଶ୍ୱର ଦୁଇ ପ୍ରମୁଖ ମହାଶକ୍ତି ଋଷିଆ ଓ ଆମେରିକା ଭାରତକୁ ସର୍ବଦା ନିଜ ସପକ୍ଷକୁ ନେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିକଟରେ ଭାରତ ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ଆୟୋଜନ କରିବା ପରେ ବିଭିନ୍ନ ରାଷ୍ଟ୍ର ମୋଦୀ ଓ ଭାରତର ଜୟ ଜୟ ଗାନ କରିଥିଲେ । ‘ଅପରେସନ ଗଙ୍ଗା’ ପରେ ପୁଣି ଥରେ ‘ଅପରେସନ ଅଜୟ’ ମାଧ୍ୟମରେ ଭାରତ ବିଶ୍ୱବାସୀଙ୍କ ହୃଦୟରେ ଶାନ୍ତିର ପତାକା ଉଡ଼ାଇ ପାରିଛି । ଏହା ନିଶ୍ଚିତ ଭାବେ ସମଗ୍ର ଭାରତବାସୀଙ୍କ ପାଇଁ ଏକ ଗୌରବର ବିଷୟ ।

Get real time updates directly on you device, subscribe now.