fbpx

ଲଦାଖରେ ଭାରତୀୟ ସେନାର ତୋପବର୍ଷଣକାରୀ ‘କେ-୯’ ବଜ୍ର ସଜାଗ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ୨୦୨୦ରେ ଚୀନ ସହ ହୋଇଥିବା ବିବାଦ ପରଠାରୁ ଭାରତୀୟ ସେନା ପୂରା ସତର୍କ ରହିଛି । ସମ୍ପ୍ରତି ଭାରତୀୟ ସେନା ଲଦାଖରେ ଚୀନ ତରଫରୁ କୌଣସି ସମ୍ଭାବ୍ୟ ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇରହିଛି । ଇତିମଧ୍ୟରେ କେ-୯ ବଜ୍ର ସ୍ୱୟଂଚାଳିତ ଆର୍ଟିଲରୀ ନିୟୋଜିତ କରିଛି । ଯାହା ଶତ୍ରୁପକ୍ଷକୁ କ୍ରମାଗତ ତୋପ ବର୍ଷଣ କରିବାରେ ସକ୍ଷମ । ବଜ୍ରବାଣ ଭଳି ଏହା କାମ କରିବ ଭାରତୀୟ ସେନାଙ୍କ ପାଇଁ । ଆଉ ଏହା ନାଁ ମଧ୍ୟ ରହିଛି ‘କେ-୯’ ବଜ୍ର ।

କେ-୯ ବଜ୍ରର ବିଶେଷତ୍ୱ:

କେ-୯ ସ୍ୱୟଂଚାଳିତ ଆର୍ଟିଲରୀକୁ ୨୦୧୮ ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା ଏବଂ ଏହା ପ୍ରଥମ ଥର ପାଇଁ ଲଦାଖରେ ନିୟୋଜିତ କରାଯାଇଛି । କେ-୯ ବଜ୍ରରେ ୧୫୫ ଏମଏମ ତୋପ ଲଗାଯାଇଛି, ଯାହାର ରେଞ୍ଜ ୧୮ରୁ ୫୨ କିମି ପର୍ଯ୍ୟନ୍ତ ରହିଛି । ଏଥିରେ ରହିଥିବା ସ୍ୱତନ୍ତ୍ର ଧରଣର ଟ୍ରାକ ସଂଯୋଗ ଫଳରେ ଏହା କୌଣସି ବି ସ୍ଥାନକୁ ସହଜରେ ଗତି କରିପାରିବାର କ୍ଷମତା ବି ରଖିଛି । ସେହିପରି ଶକ୍ତିଶାଳୀ ଇଞ୍ଜିନ ଯୋଗୁଁ ଏହା ଘଣ୍ଟା ପ୍ରତି ୬୭ କିମି ବେଗରେ ଚାଲିପାରିବ । ଏଥିରେ ୫ ସୈନିକଙ୍କ କ୍ରୁ ରହିପାରିବେ । ଭାରତୀୟ ସେନା ଫେବ୍ରୁଆରିରେ ଲଦାଖରେ ଏହାର ପରୀକ୍ଷଣ ଆରମ୍ଭ କରିଥିଲା । କେ-୯ ବଜ୍ରରେ ଟ୍ୟାଙ୍କ ଏବଂ ମିଶାଇଲ ଦୁଇଟିଯାକ ବିଶେଷତ୍ୱ ରହିଛି । କୌଣସି ଟ୍ୟାଙ୍କ ଭଳି ଏହାର ଶତ୍ରୁର ଗୋଳାମାଡ଼ଠାରୁ ସୁରକ୍ଷିତ । ଏହାର ଟ୍ରାକ ଏହାକୁ ସବୁ ପ୍ରକାର ସ୍ଥାନରେ ଚାଲିବାରେ ସାହାଯ୍ୟ କରିଥାଏ । ସେହିଭଳି ଏହା ଲମ୍ବା ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ ।

କ’ଣ ଥିଲା ୨୦୨୦ରେ ଚୀନ୍-ଭାରତ ବିବାଦ:

ଲଦାଖଠାରେ ମେ ୨୦୨୦ରେ ଭାରତ ଏବଂ ଚୀନ ମୁହାଁମୁହିଁ ହୋଇଥିଲେ । ଏହି ବିବାଦ ପରେ ଚୀନ ସୀମା ନିକଟରେ ବ୍ୟାପକ ଭାବେ ଟ୍ୟାଙ୍କ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରଯୁକ୍ତ ଗାଡ଼ିକୁ ସୀମା ନିକଟରେ ନିୟୋଜିତ କରିଥିଲା । ସୂଚନା ଅନୁଯାୟୀ ଚୀନ ଏହାର ଚତୁର୍ଥ ଏବଂ ଷଷ୍ଠ ମୋଟରାଇଜ୍ଡ ଡିଭିଜନ ଏଠାରେ ନିୟୋଜିତ କରିଛି । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ଟ୍ୟାଙ୍କ ଏବଂ ମିଶାଇଲଯୁକ୍ତ ଗାଡ଼ିକୁ ନିୟୋଜିତ କରିଛି ।

ଏହା ସହ ଭାରତୀୟ ସେନା ଟି୯୦ ଟ୍ୟାଙ୍କକୁ ଲଦାଖରେ ନିୟୋଜିତ କରିଛି । ଗତ ବର୍ଷ ୩୦ ଅଗଷ୍ଟଠାରୁ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରୁ ଆରମ୍ଭ କରି ଭାରତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କବଜା କରିଛି । ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଖରରେ ମଧ୍ୟ ଭାରତ ଏହାର ଟ୍ୟାଙ୍କକୁ ନିୟୋଜିତ କରିଛି । ଗତ ଫେବ୍ରୁଆରିରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଦୁଇ ସେନା ଦକ୍ଷିଣ ଲଦାଖର ଅନେକ ସ୍ଥାନରୁ ପଛକୁ ହଟିଥିଲେ ।

Get real time updates directly on you device, subscribe now.