fbpx

ବିଦ୍ୟାଙ୍କ ନାଁରେ ସେନାର ଫାୟାରିଙ୍ଗ ରେଞ୍ଜ; ଏମିତି ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାଁରେ ଏକ ଫାୟାରିଂ ରେଞ୍ଜକୁ ନାମିତ କରିଥିଲା ଭାରତୀୟ ସେନା । ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମାର୍ଗରେ ରହିଥିବା ଶୁଟିଂ ରେଞ୍ଜକୁ ବିଦ୍ୟାଙ୍କ ନାମରେ ନାମିତ କରାଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଫିଲ୍ମଫେୟାର ଭଳି ସଂସ୍ଥା ଏହାକୁ ସମର୍ଥନ କରିଥିବା ବେଳେ ଏକାଧିକ ବ୍ୟବହାର କାରୀ ସେନାର ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି ।

ବିଦ୍ୟା ବାଲାନଙ୍କ ନାମରେ ଫାୟାରିଂ ରେଞ୍ଜ ନାମିତ କରିଥିବାରୁ ଭାରତୀୟ ସେନାକୁ ଧନ୍ୟବାଦ ବୋଲି ଫିଲ୍ମଫେୟାର ଲେଖିଛି । ତେବେ ଏକାଧିକ ବ୍ୟବହାରକାରୀ ଏହାକୁ କଡା ନିନ୍ଦା କରିଛନ୍ତି । ଭାରତୀୟ ସିନେମାକୁ ସମ୍ମାନ ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ନିକଟରେ ଭାରତୀୟ ସେନା ପକ୍ଷରୁ ଆୟେଜିତ ଗୁଲମାର୍ଗ ଶୀତକାଳୀନ ମହୋତ୍ସବରେ ବିଦ୍ୟା ନିଜ ସ୍ୱାମୀ ସିଦ୍ଧାର୍ଥ ରୟ କପୁରଙ୍କ ସହିତ ଅଂଶଗ୍ରହଣ କରିଥିଲେ । ତେବେ ଏହା ସତ୍ତେ୍ୱ ବି ଏକାଧିକ ବ୍ୟବହାରକାରୀ ଏହାକୁ ନିନ୍ଦା କରିଛନ୍ତି ।

ସେନା ପ୍ରତି କୌଣସି ଅବଦାନ ନଥିବା ସତ୍ତେ୍ୱ ବିଦ୍ୟାଙ୍କୁ ଏଭଳି ସମ୍ମାନ ଦେବାର କୌଣସି ଅର୍ଥ ନାହିଁ, ଏହା ବଦଳରେ କ୍ୟାପଟେନ ବିକ୍ରମ ବାତ୍ରା ଅଥବା ଅନ୍ୟ ଶହୀଦଙ୍କ ନାମରେ ଏହି ଫାୟାରିଂ ରେଞ୍ଜକୁ ନାମିତ କରାଯାଇ ପାରିଥାନ୍ତା । ଏପରି ଚାଲିଲେ ଭବିଷ୍ୟତରେ ସନ୍ନି ଲିଓନିଙ୍କ ନାମରେ ମଧ୍ୟ ଫାୟାରିଂ ରେଞ୍ଜ ଦେଖିବାକୁ ମିଳିବ ବୋଲି ଜଣେ ବ୍ୟବହାରକାରୀ ମତ ଦେଇଛନ୍ତି । ଏହାକୁ ଟ୍ରୋଲ କରି ଆଉ ଜଣେ ଲେଖିଛନ୍ତି ଏବେ ରାଫେଲର ନାମ ପରିବର୍ତ୍ତନ କରାଯାଇ ରାଣୀ ବାୟୁମତି ରଖାଯାଉ । ତେବେ ସେନାର ଜନୈକ ଅଧିକାରୀ ମେଜର ମାନିକ ଏମ ଜଲି ଏହି ଖବରକୁ ଖଣ୍ଡନ କରିଛନ୍ତି । ବିଦ୍ୟାଙ୍କ ନାମରେ କୌଣସି ଫାୟାରିଂ ରେଞ୍ଜ ନାମିତ କରାଯାଇନାହିଁ । ବିଦ୍ୟାଙ୍କ ସ୍ୱାଗତ ପାଇଁ ରଖାଯାଇଥିବା ଫଳକକୁ ମିଥ୍ୟା ଖବର ପ୍ରଚାରରେ ବ୍ୟବହାର କରାଯାଉଥିବା ନେଇ ମାନିକ କହିଛନ୍ତି ।

Get real time updates directly on you device, subscribe now.