ଆସନ୍ତା ଏକ ବର୍ଷ ମଧ୍ୟରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କାରଣ ଆସନ୍ତା ଏକ ବର୍ଷ ଭିତରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ଭାରତୀୟ ରେଳବାଇ । ଗତ ୮ ବର୍ଷରେ ବାର୍ଷିକ ୪୩,୬୭୮ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା । ଆସନ୍ତା ୧୮ ମାସ ମଧ୍ୟରେ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ୧.୫ ବର୍ଷରେ ସରକାର ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ଦ୍ୱାରା ବେତନ ଏବଂ ଭତ୍ତା ସମ୍ବନ୍ଧରେ ତାଜା ବାର୍ଷିକ ରିପୋର୍ଟ ଅନୁସାରେ, ମଞ୍ଜୁରୀପ୍ରାପ୍ତ ପୋଷ୍ଟଗୁଡିକର ମୋଟ ସଂଖ୍ୟା ୪୦.୭୮ ଲକ୍ଷ ଥିବା ବେଳେ ୧ ମାର୍ଚ୍ଚ ୨୦୨୦ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିୟମିତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୩୧.୯୧ ଲକ୍ଷରେ ପହଞ୍ଚିଛି । ଏହି ହିସାବରେ ପ୍ରାୟ ୨୧.୭୫ ପ୍ରତିଶତ ପଦବୀ ଖାଲି ଥିଲା ।

ଏହି ରିପୋର୍ଟରେ କୁହାଯାଇଛି ଯେ ମୋଟ ଶ୍ରମଶକ୍ତିର ପ୍ରାୟ ୯୨ ପ୍ରତିଶତ ଭାଗ ପାଞ୍ଚଟି ପ୍ରମୁଖ ମନ୍ତ୍ରଣାଳୟ କିମ୍ବା ବିଭାଗ ଅଧୀନରେ ରହିଛି । ଏହି ବିଭାଗଗୁଡ଼ିକରେ ରେଳବାଇ, ପ୍ରତିରକ୍ଷା, ଗୃହ ବିଭାଗ, ଡାକ ଏବଂ ରାଜସ୍ୱ ସାମିଲ ରହିଛି ।

ଗତ ଅନେକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ଦଳ ବେରୋଜଗାରୀ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ । ରେଳବାଇ କହିଛି ଯେ, ୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ସେମାନେ ମୋଟ ୩,୪୯,୪୨୨ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ଅନୁଯାୟୀ ହାରାହାରି ନିଯୁକ୍ତି ବାର୍ଷିକ ୪୩,୬୭୮ ଥିଲା । ୨୦୨୨-୨୩ ମସିହାରେ ରେଲୱେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ।