4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ବିକାଶ ହାର, ଭାରତର ଜିଡିପି ଅଭିବୃଦ୍ଧି ହାର 6.5 ପ୍ରତିଶତ
4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ବିକାଶ ହାର ।2024-25 ସମ୍ପୂର୍ଣ୍ଣ ଆର୍ଥିବ ବର୍ଷରେ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତର ଜିଡ଼ିପି ଅଭିବୃଦ୍ଧି ହାର 6.5% ରହିଛି ।
ନୂଆଦିଲ୍ଲୀ: 4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ବିକାଶ ହାର । ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ଗତି ଧୀମା ରହିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଅନୁସାରେ 2024-25 ସମ୍ପୂର୍ଣ୍ଣ ଆର୍ଥିବ ବର୍ଷରେ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତର ଜିଡ଼ିପି ଅଭିବୃଦ୍ଧି ହାର 6.5% ରହିଛି । ଯାହା 4 ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି । ତେବେ ମହାମାରୀ ପରଠାରୁ ଦେଶର ଜିଡ଼ିପି ଅଭିବୃଦ୍ଧି ହାର କମିଥିବା ଜଣାପଡ଼ିଛି । 2021-22ରେ ଜିଡ଼ିପି ଅଭିବୃଦ୍ଧି ହାର 9.7% ରହିଥିବା ବେଳେ 2022-23ରେ 7.6% ରହିଥିଲା ଏବଂ 2023-24ରେ ଏହା ଥିଲା 9.2% ।
ସରକାରୀ ବିବୃତ୍ତି ଅନୁଯାୟୀ, 2024-25 ଆର୍ଥିକ ବର୍ଷରେ ବାସ୍ତବିକ ଜିଡିପି 6.5% ବୃଦ୍ଧି ପାଇବାର ଆକଳନ କରାଯାଇଥିବା ବେଳେ 2024-25 ଆର୍ଥିକ ବର୍ଷରେ ନାମମାତ୍ର ଜିଡିପି 9.8 % ଆକଳନ କରାଯାଇଛି ।
ଯଦିଓ ଚତୁର୍ଥ ତ୍ରୟମାସ ଅର୍ଥାତ୍ 2025 ଜାନୁଆରୀ-ମାର୍ଚ୍ଚରେ ଜିଡିପି ଅଭିବୃଦ୍ଧି ଅନୁମାନଠାରୁ ଅଧିକ ରହିଛି, ଏହା 2024-25 ଆର୍ଥିକବର୍ଷର ଶେଷ ତ୍ରୟମାସ ତୁଳନାରେ ଢେର୍ ମାତ୍ରାରେ କମ୍ । ଏନ୍ଏସ୍ଓ ତଥ୍ୟ ଅନୁସାରେ ମାର୍ଚ୍ଚ ତ୍ରୟମାସରେ ଦେଶର ବିକାଶ ହାର 7.4% ରହିଛି, ଯାହାକି 2024-25 ସମାନ ସମୟରେ ଥିଲା 8.4% । 2024-25 ତୃତୀୟ ତ୍ରୟମାସରେ ଏହା 6.2% ରହିଥିଲା । ସମ୍ପୂର୍ଣ୍ଣ ଆର୍ଥିକବର୍ଷର ବିକାଶ ହାର ସରକାରଙ୍କ ଅନୁମାନ ତୁଳନାରେ ଢେର କମ୍ ରହିଛି ।
ଏହି ସଦ୍ୟତମ ରିପୋର୍ଟ ସହିତ ଭାରତ ବିଶ୍ବର ଦୃତତମ ଅଭିବୃଦ୍ଧିଶାଳୀ ଅର୍ଥନୀତି ମଧ୍ୟରୁ ଗୋଟିଏ ରହିଛି । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (IMF) ମଧ୍ୟ ଆକଳନ କରିଛି ଯେ, ଏହି ବର୍ଷ ଶେଷ ସୁଦ୍ଧା ଭାରତ ଅର୍ଥନୈତିକ କ୍ଷେତ୍ରରେ ଜାପାନକୁ ପଛରେ ପକାଇ 4.18 ଟ୍ରିଲିୟନ ଡଲାରରେ ପହଞ୍ଚିବ ।
ଘରୋଇ ନିବେଶରେ ହ୍ରାସ ଘଟିଛି କାରଣ ବିଶ୍ୱବ୍ୟାପୀ ଅନିଶ୍ଚିତତାର ମାହୋଲ ରହିଥିଲା । ଏହା ହିଁ ବିକାଶକୁ ପ୍ରଭାବିତ କରିଛି । ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ପ୍ରଦର୍ଶନରୁ ଏହା ସ୍ପଷ୍ଟ ହେଉଛି ଯେ, ଭାରତ ବିଶ୍ୱବ୍ୟାପୀ ଦେଖାଦେଇଥିବା ସଂକଟଜନକ ପରିସ୍ଥିତି ଏବଂ ଅନିଶ୍ଚିତତାକୁ ଦୃଢ଼ତାର ସହ ସାମ୍ନା କରିଛି । ଚତୁର୍ଥ ତ୍ରୟମାସରେ ବିଶ୍ୱ ବ୍ୟାପାରରେ ଅନେକ ବାଧା ଆସିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଟିକସ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ, ପରିସ୍ଥିତିକୁ ଖରାପ କରିଥିଲା ।
ତେବେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଘରୋଇ ଉପଭୋକ୍ତା ଖର୍ଚ୍ଚରେ 7.2% ଅଭିବୃଦ୍ଧି ଦେଖାଦେଇଛି, ଯାହା ପୂର୍ବ ଆର୍ଥିକ ବର୍ଷ 5.6% ଥିଲା। ଏହି ଅଭିବୃଦ୍ଧିକୁ ଗ୍ରାମାଞ୍ଚଳର ଦୃଢ଼ ଚାହିଦା, ଖାଦ୍ୟ ମୂଲ୍ୟ ହ୍ରାସ ଏବଂ ପର୍ବପର୍ବାଣୀ ସମୟରେ ଖର୍ଚ୍ଚ ବୃଦ୍ଧି ଦ୍ୱାରା ଘଟିଥିଲା।
ଆର୍ଥିକ ବର୍ଷ 2025ରେ କୃଷି କ୍ଷେତ୍ରରେ 4.6% ଅଭିବୃଦ୍ଧି ଘଟିଛି, ଯାହା ପୂର୍ବ ବର୍ଷ 2.7% ଥିଲା। ଚତୁର୍ଥ ତ୍ରୈମାସିକରେ, ଏହି କ୍ଷେତ୍ର 5.4% ଅଭିବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ତ୍ରୈମାସିକରେ ମାତ୍ର 0.9% ଅଭିବୃଦ୍ଧି ଥିଲା।
ନିର୍ମାଣ କ୍ଷେତ୍ରରେ 9.4% ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯାହା ପୂର୍ବ ବର୍ଷର 10.4% ଅଭିବୃଦ୍ଧି ତୁଳନାରେ ସାମାନ୍ୟ କମ୍। ତଥାପି, 2025 ମାର୍ଚ୍ଚ ତ୍ରୈମାସିକରେ, ଏହି କ୍ଷେତ୍ର 10.8% ଅଭିବୃଦ୍ଧି ପାଇଛି, ଯାହା ଚତୁର୍ଥ ତ୍ରୈମାସିକ FY24ରେ 8.7% ଥିଲା।
ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି, FY25ରେ 4.5% ଅଭିବୃଦ୍ଧି ଘଟିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ 12.3% ଥିଲା। ଚତୁର୍ଥ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ର 4.8% ରହିଛି, ଯାହା ଗତ ବର୍ଷ ସମାନ ଅବଧିରେ 11.3% ଥିଲା।
2024-25 ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ସ୍ଥିର ମୂଲ୍ୟରେ ହାରାହାରି ଜିଡିପି 187.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି 2023-24ରେ 176.51 ଲକ୍ଷ କୋଟି ଟଙ୍କା ଥିଲା । ସେହିଭଳି ନୋମିନାଲ ଜିଡିପି 301.23 ଲକ୍ଷ କୋଟି ଟଙ୍କାରୁ 330.68 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।