fbpx

ଏବେ ସମୁଦ୍ରର ସିକନ୍ଦର ହେବ ଭାରତ, ସେପ୍ଟେମ୍ବର ୧୦ରେ ନୌସେନାକୁ ମିଳିବାକୁ ଯାଉଛି ଖାସ୍ ହତିଆର

ନୂଆଦିଲ୍ଲୀ : ଭାରତକୁ ଶୀଘ୍ର ଏମିତି ଏକ ହତିଆର ମିଳିବାକୁ ଯାଉଛି, ଯାହା ଜରିଆରେ ଭାରତୀୟ ନୌସେନା ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ପ୍ରତିଟି ଦୁଃସାହାସ ପୂର୍ବରୁ ମୁହଁତୋଡ ଜବାବ ଦେଇ ପାରିବ । ଶତ୍ରୁର ଆଣବିକ କ୍ଷେପଣାସ୍ତ୍ରକୁ ଟ୍ରାକ କରି ପାରୁଥିବା ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ଧ୍ରୁବ ସେପ୍ଟେମ୍ବର ୧୦ରେ ଜଳାବତରଣ କରିବାକୁ ଯାଉଛି । ଆଶା କରାଯାଉଛି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ସେପ୍ଟେମ୍ବର ୧୦ରେ ବିଶାଖାପାଟଣାରେ ସାଟେଲାଇଟ୍ ଓ ବାଲାଷ୍ଟିକ ମିସାଇଲକୁ ଟ୍ରାକ କରି ପାରୁଥିବା ଭାରତର ପ୍ରଥମ ଜାହାଜ ଆଇଏନଏସ ଧ୍ରୁବକୁ ମୁତୟନ କରାଇବେ ।

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ଓ ଜାତୀୟ ବୈଷେୟିକ ଅନୁସନ୍ଧାନ ସଂଗଠନ(ଏନଟିଆରଓ)ର ସହଯୋଗରେ ହିନ୍ଦୁସ୍ତାନ ସିପୟାର୍ଡ ଦ୍ୱାରା ନିର୍ମିତ ଆଇଏନଏସ ଧ୍ରୁବ ଆଣବିକ ମିସାଇଲକୁ ଟ୍ରାକ କରିବାଠୁ ନେଇ ଶତ୍ରୁର ସାଟେଲାଇଟ୍ ଓ ନିଜ ଆଡକୁ ଆସୁଥିବା ବାଲାଷ୍ଟିକ ମିସାଇଲକୁ ଠାବ କରିବାର କ୍ଷମତା ରଖିଛି ।

ଆଇଏନଏସ ଧ୍ରୁବର ଜଳାବତରଣ ସମାରୋହରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଓ ଏନଟିଆରଓର ଅଧ୍ୟକ୍ଷ ଅନିଲ ଦାସମାନ, ଡିଆରଡିଓ ଓ ନୌସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହି ପରମାଣୁ ମିସାଇଲ ଟ୍ରାକିଂ ଜାହାଜକୁ ଭାରତୀୟ ନୌସେନାର କର୍ମୀ ଓ ସାମରିକ ବଳ କମାନ(ଏସଏଫସି) ମିଶି ସଞ୍ଚାଳନ କରିବେ । ଏ ପର୍ଯ୍ୟନ୍ତ ଏହି ଜାହାଜର ସଞ୍ଚାଳନ କେବଳ ଫ୍ରାନ୍ସ, ଆମେରିକା, ବ୍ରିଟେନ, ରୁଷ ଓ ଚୀନ କରୁଛି । ଏବେ ଏହି କ୍ଲବରେ ଭାରତ ସାମିଲ ହେବାକୁ ଯାଉଛି ।

୧୦ ହଜାର ଟନ ବିଶିଷ୍ଟ ଏହି ବିପଦଜ୍ଜନକ ଜାହାଜ ଶତ୍ରୁ ଦେଶ ପାଇଁ ଏକ ପ୍ରକାରର ଚେତାବନୀ । ଏହା ଶତ୍ରୁ ପକ୍ଷର ପ୍ରତିଟି ଚାଲ ଏବଂ କ୍ଷେପଣାସ୍ତ୍ର ହମଲାକୁ ଚିହ୍ନଟ କରି ଧ୍ୱସ୍ତ କରିବାକୁ ସକ୍ଷମ । ଏହି ଜାହାଜ ଭାରତ ମହାସାଗରରେ ଭାରତର ସାମୁଦ୍ରିକ ସୁରକ୍ଷା ଘେରକୁ ଆହୁରି ମଜବୁତ କରିବ । ଏହା ନୌସେନାକୁ ଶତ୍ରୁର ଗତିବିଧି ପ୍ରତି ଆଲର୍ଟ କରିବ । ସବୁଠୁ ଖାସ୍ କଥା ଏହା ଯେ, ଏହି ଜାହାକୁ ଏମିତି ସମୟରେ ମୁତୟନ କରାଯାଉଛି, ଯେବେ ପୂରା ଦୁନିଆରେ ପାଣି ଭିତରେ ସଶସ୍ତ୍ର ଓ ନୀରିକ୍ଷଣ ସଂପନ୍ନ ଡ୍ରୋନ ଯୁଗ ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.