ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ପ୍ରଦାନରେ ନିଜର ପ୍ରତିବଦ୍ଧତା ଜାରି ରଖିଛି । ଯାହାର ପରିଣାମ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ‘ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ଆୟୋଗ (ୟୁନେସ୍କୋ)ର ସର୍ବେକ୍ଷଣରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି ।
୨୦୨୩ ବର୍ଷ ପାଇଁ କରାଯାଇଥିବା ଏହି ସର୍ବେକ୍ଷରେ ୧୪୦ରୁ ଅଧିକ ଅର୍ଥବ୍ୟବସ୍ଥାକୁ ସାମିଲ କରାଯିବା ସହିତ ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ମୂଲ୍ୟାୟନ କରାଯାଇଥିଲା । ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସ ପାଇଁ ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ଭାରତ ଏହି ସର୍ବେକ୍ଷଣରେ ଅଗ୍ରଣୀ ଥିବା ଦର୍ଶାଯାଇଛି ।
ବିଭିନ୍ନ ଉପ ସୂଚକାଙ୍କରେ ଭାରତ ଅସାଧାରଣ ପ୍ରଗତି ହାସଲ କରିଥିବା ୨୦୨୩ ସର୍ବେକ୍ଷଣରେ କୁହାଯାଇଛି । ପାରଦର୍ଶିତା, ଔପଚାରିକତା, ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ ଏବଂ କାଗଜମୁକ୍ତ ବାଣିଜ୍ୟ ଭଳି ଚାରିଟି ପ୍ରମୁଖ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ୧୦୦% ସ୍କୋର ହାସଲ କରିଛି । ବ୍ୟବସାୟିକ ପ୍ରକ୍ରିୟାକୁ ବାଧାମୁକ୍ତ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବଢ଼ାଇବା କ୍ଷେତ୍ରରେ ଭାରତ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ପ୍ରମାଣ ଏହି ସର୍ବେକ୍ଷଣରେ ପ୍ରତିଫଳିତ ହୋଇଛି ।
ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍, ସମନ୍ୱିତ ସୀମା ପରିଚାଳନା ଆଦି ଭାରତର କେତେକ ଅଭିନବ ତଥା ଫଳପ୍ରଦ ଡିଜିଟାଲ ପଦକ୍ଷେପ। ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି’’ ପାଇଁ ଭାରତର ସ୍କୋରରେ କ୍ରମାଗତ ଉନ୍ନତି ଦେଖିବାକୁ ମିଳିଛି । ଏହା ୨୦୨୧ରେ ୬୬.୭% ଥିବା ବେଳେ ୨୦୨୩ରେ ୭୭.୮%କୁ ବୃଦ୍ଧି ପାଇଛି । ଏଥିରୁ ବ୍ୟବସାୟ କ୍ଷେତ୍ରରେ ଲିଙ୍ଗଗତ ସମାବେଶିତା ଓ ସୁଧାରର ପ୍ରତିବଦ୍ଧତା ପ୍ରମାଣିତ ହେଉଛି।
ଦକ୍ଷିଣ ଏସିଆ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ହୋଇପାରିଛି । କାନାଡା, ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ସମେତ ବହୁ ବିକଶିତ ରାଷ୍ଟ୍ର ତୁଳନାରେ ଭାରତର ସାମଗ୍ରିକ ସ୍କୋର ଅଧିକ ରହିଛି । ନିମ୍ନରେ ଦିଆଯାଇଥିବା ଗ୍ରାଫରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ଯେ, ଭାରତର ସାମଗ୍ରିକ ସ୍କୋର ବର୍ଷ ପରେ ବର୍ଷ ସୁଧୁରିବାରେ ଲାଗିଛି । ବାଣିଜ୍ୟ ସୁବିଧା ପଦକ୍ଷେପ ଗ୍ରହଣ କରିବା ଜରିଆରେ ବ୍ୟବସାୟିକ ସୁଗମତାକୁ ଆହୁରି ବଢ଼ାଇବା ଲାଗି ଦୃଢ଼ ପ୍ରତିବଦ୍ଧତା ଏଥିରୁ ପ୍ରମାଣିତ ହେଉଛି।
ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ଦ୍ୱାରା କରାଯାଇଥିବା ବିଶ୍ୱ ସର୍ବେକ୍ଷଣରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ବାଣିଜ୍ୟ ସୁବିଧା ରାଜିନାମା (ଟିଏଫଏ)କୁ ସାମିଲ କରାଯିବା ସହିତ ପାଖାପାଖି ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ୧୧ଟି ଉପବର୍ଗରେ ବର୍ଗୀକୃତ କରାଯାଇଥିଲା । ସେଗୁଡ଼ିକ ହେଲା : ପାରଦର୍ଶିତା; ଔପଚାରିକତା; ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ; ପରିବହନ ସୁବିଧା; କାଗଜମୁକ୍ତ ବାଣିଜ୍ୟ; ସୀମାପାର କାଗଜମୁକ୍ତ ବାଣିଜ୍ୟ; ଏସଏମଇଗୁଡ଼ିକ ପାଇଁ ବାଣିଜ୍ୟ ସୁବିଧା; କୃଷି ବାଣିଜ୍ୟ ସୁବିଧା; ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି; ବ୍ୟବସାୟିକ ସୁବିଧା ପାଇଁ ବାଣିଜ୍ୟିକ ଅର୍ଥଲଗାଣ ଏବଂ ସଂକଟ ସମୟରେ ବ୍ୟବସାୟିକ ସୁବିଧା ପ୍ରଦାନ । ଧାରଣା ଆଧାରିତ ପରିବର୍ତ୍ତେ ତଥ୍ୟ ଆଧାରରେ ଏହି ସର୍ବେକ୍ଷଣ କରାଯାଇଛି । ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ସର୍ବେକ୍ଷଣ ପାଇଁ ୬ ମାସ ଲାଗିଥାଏ । ତିନୋଟି ପର୍ଯ୍ୟାୟ ଆଭିମୁଖ୍ୟ ନେଇ ପ୍ରଥମେ ତଥ୍ୟ ସଂଗ୍ରହ କରାଯାଏ ଏବଂ ପରେ ଏହାକୁ ପ୍ରମାଣିକରଣ ଓ କାର୍ଯ୍ୟକାରୀ କରାଯାଇଥାଏ।