ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ଅଗଷ୍ଟ 31 ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ସମାପ୍ତ

ପୁଣି ତୁର୍କୀକୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ସମସ୍ତ ଚୁକ୍ତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତ ।

ନୂଆଦିଲ୍ଲୀ: ପୁଣି ତୁର୍କୀକୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ସମସ୍ତ ଚୁକ୍ତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତ । ସରକାର ଇଣ୍ଡିଗୋ ଏୟାରଲାଇନ୍ସକୁ 31 ଅଗଷ୍ଟ ପର୍ଯ୍ୟନ୍ତ ଡେଡଲାଇନ୍ ଦେଇଛନ୍ତି। ଯାହାକୁ ଗ୍ରହଣ କରିଛନ୍ତି ଇଣ୍ଡିଗୋ କମ୍ପାନୀର ସିଇଓ ।

ଆପଣଙ୍କୁ କହିରଖୁଛୁ ଯେ, ଅପରେସନ ସିନ୍ଦୁର ସମୟରେ, ତୁର୍କୀ ପାକିସ୍ତାନକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ଖୋଲାଖୋଲି ଭାବରେ ତାକୁ ସମର୍ଥନ କରିଥିଲା ​​ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥିଲା। ସେବେଠାରୁ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଯାଉଛି। ଏନେଇ ଅଗଷ୍ଟ 31 ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ସମାପ୍ତ କରିବା ପାଇଁ ଇଣ୍ଡିଗୋକୁ ଚୂଡ଼ାନ୍ତ ଡେଡଲାଇନ୍ ଦେଇଛନ୍ତି କେନ୍ଦ୍ର ସରକାର। ତୁର୍କୀ ଏୟାରଲାଇନ୍ସ ଠାରୁ 2ଟି ବୋଇଂ-777 ବିମାନ ଲିଜରେ ଆଣି ଚଳାଉଛି ଇଣ୍ଡିଗୋ।

ଏହି ଚୁକ୍ତିକୁ ମେ 31 ସୁଦ୍ଧା ସମାପ୍ତ କରିବା ପାଇଁ ଇଣ୍ଡିଗୋକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ। କିନ୍ତୁ ଇଣ୍ଡିଗୋ ଏଥିପାଇଁ ଆହୁରି 6 ମାସ ମହଲତ ମାଗିଥିଲା। ଯାହା ପରେ, ଡିଜିସିଏ ପକ୍ଷରୁ ଶେଷ ଥର ପାଇଁ ଡେଡଲାଇନକୁ 3 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଗଷ୍ଟ 31 ସୁଦ୍ଧା ଲିଜ୍ ଏଗ୍ରିମେଣ୍ଟ ସମାପ୍ତ ନ କଲେ, ଆଉ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅବଧି ସଂପ୍ରସାରଣ କରାଯିବ ନାହିଁ ବୋଲି ଇଣ୍ଡିଗୋକୁ ଚେତାବନୀ ଦିଆଯାଇଛି। ଯାତ୍ରୀଙ୍କୁ କୌଣସି ପ୍ରକାର ବାଧା ନ ଉପୁଜିବା ପାଇଁ ଏପରି ନିଷ୍ପତି ନେଇଥିବା ଡିଜିସିଏ କହିଛି ।

ଦିଲ୍ଲୀ ସମେତ ଦେଶର 9ଟି ପ୍ରମୁଖ ଏୟାରପୋର୍ଟରେ ସେବା ଯୋଗାଉଥିଲା ଏହି ସଂସ୍ଥା। ଗତ ମେ 7 ତାରିଖରେ ଭାରତ କରିଥିବା ଅପରେସନ ସିନ୍ଦୂରରେ ପାକିସ୍ତାନକୁ ସମର୍ଥନ କରି ଭାରତ ଉପରେ ଆକ୍ରମଣ ପାଇଁ ଡ୍ରୋନ ଯୋଗାଇଥିଲା ତୁର୍କୀ। ଏହାର ପ୍ରତି ଜବାବରେ ଭାରତ ତୁର୍କୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି।

‘ସରକାରଙ୍କ ନିର୍ଦ୍ଦେଶ ପାଳନ କରିବୁ’ – ଇଣ୍ଡିଗୋ ସିଇଓ

ସେପଟେ ଇଣ୍ଡିଗୋ ସିଇଓ ପିଟର ଏଲବର୍ସ କହିଛନ୍ତି ଯେ, ଏୟାରଲାଇନ୍ସ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶ ପାଳନ କରିବ। ଏଲବର୍ସ ଆହୁରି ମଧ୍ୟ କହିଛନ୍ତି ଯେ, ସେ 31 ଅଗଷ୍ଟ ମଧ୍ୟରେ ତୁର୍କୀ ସହିତ ସମସ୍ତ ଲିଜ୍ ସମ୍ପର୍କ ସମାପ୍ତ କରିବ ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏୟାରଲାଇନ୍ସ ଭବିଷ୍ୟତରେ ମଧ୍ୟ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବ। ଗ୍ରାହକଙ୍କ ସୁବିଧା ତାଙ୍କର ପ୍ରାଥମିକତା କିନ୍ତୁ ସେ ସରକାରୀ ନୀତିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବେ ଏବଂ ସେହି ଅନୁସାରେ କାମ କରିବେ କହିଛନ୍ତି ଇଣ୍ଡିଗୋ ସିଇଓ ପିଟର ଏଲବର୍ସ ।