ବର୍ଷା ପାଇଁ ବିଳମ୍ବ ହୋଇପାରେ ବିମାନ ସେବା, ଆଡଭାଇଜରୀ ଜାରି କଲା ଇଣ୍ଡିଗୋ
ଗୋଆରେ କାଚୁଛି ବର୍ଷା । ବର୍ଷା ଯୋଗୁଁ ବିମାନ ଯାତ୍ରା ପ୍ରଭାବିତ ହେବ ବୋଲି ପରାମର୍ଶ ବାଆଡଭାଇଜରୀ ଜାରି କରିଛି ଇଣ୍ଡିଗୋ ଏୟାର ଲାଇନ୍ସ ।
ନୂଆଦିଲ୍ଲୀ: ମୌସୁମୀ ଆସିବା ପୂର୍ବରୁ ଗୋଆରେ କାଚୁଛି ବର୍ଷା। ବର୍ଷା ଯୋଗୁଁ ପାଗ ସିନା ଲୋକଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି କିନ୍ତୁ ଏହା ବିମାନ ଯାତ୍ରାକୁ ପ୍ରଭାବିତ କରୁଛି। ଏନେଇ ପରାମର୍ଶ ଜାରି କରିଛି ଇଣ୍ଡିଗୋ ଏୟାର ଲାଇନ୍ସ । ଏହା ସହ ବର୍ଷା ଯୋଗୁଁ ବିମାନ ଉଡ଼ାଣ ପ୍ରଭାବିତ ହୋଇପାରେ ବୋଲି ଯାତ୍ରୀମାନଙ୍କୁ ସତର୍କ କରାଯାଇଛି ।
ବିମାନ କମ୍ପାନୀ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ, ସେମାନେ ବିମାନ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ କିମ୍ବା ଗ୍ରାହକ ସେବା ସହିତ ଯୋଗାଯୋଗ କରି ସେମାନଙ୍କ ବିମାନର ସ୍ଥିତି ବିଷୟରେ ଜାଣନ୍ତୁ।
ଆପଣଙ୍କୁ କହି ରଖୁଛୁ ଯେ ମଙ୍ଗଳବାର ସନ୍ଧ୍ୟାରୁ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦର (ଡାବୋଲିମ)ରେ ପ୍ରବଳ ବର୍ଷା ହେଉଛି, ଯାହା ଫଳରେ କିଛି ବିମାନ ବିଳମ୍ବରେ ଚାଲୁଛି ।
ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଗୋଆ ପାଇଁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।