ନୂଆଦିଲ୍ଲୀ: ଭାରତର ଇତିହାସରେ ୩୧ ଅକ୍ଟୋବରର ତାରିଖ ଏକ ଦୁଃଖର ଦିନ। ଏହି ଦିନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ନିଜର ଦୃଢ ନିଷ୍ଠା ପାଇଁ ଜଣାଶୁଣା ଏବଂ ବିନା ଭୟରେ ସବୁଠୁ ବଡ଼ ନିଷ୍ପତ୍ତି ନେଉଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅକ୍ଟୋବର ୩୧ ତାରିଖ ଦିନ ସକାଳେ ତାଙ୍କର ଶିଖ୍ ଅଙ୍ଗରକ୍ଷୀମାନେ ଇନ୍ଦିରାଙ୍କୁ ହତ୍ୟା କରିଥିଲେ। ଇନ୍ଦିରା ଗାନ୍ଧୀ ୧୯୬୬ରୁ ୧୯୭୭ ମଧ୍ୟରେ ଲଗାତାର ତୃତୀୟ ଥର ଦେଶର ଶାସନ ଭାର ସମ୍ଭାଳିଥିଲେ ଏବଂ ୧୯୮୦ରେ ଏହି ପଦରେ ପହଞ୍ଚିଥିଲେ, ଏହାପରେ ୧୯୮୪ ମସିହାରେ ପଦରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡୀ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହି ଆଇରନ ଲେଡୀଙ୍କ ବିଷୟରେ..
ଦେଶର ଏହି ଶକ୍ତିଶାଳୀ ମହିଳା, ଯାହାଙ୍କ ପାଟି ଶୁଣିଲେ ଭାରତ ଆଡକୁ ଅନାଇବା ପାଇଁ ଶତ୍ରୁମାନଙ୍କର ସାହସ ହେଉନଥିଲା। ତାଙ୍କର ଅଚାନକ ମୃତ୍ୟୁକୁ ନେଇ ଦେଶକୁ ବଡ଼ ଝଟକା ଲାଗିଥିଲା। କୁହାଯାଏ ଯେ, ଇନ୍ଦିରା ଗାନ୍ଧୀଙ୍କୁ ନିଜ ମୃତ୍ୟୁର ପୂର୍ବାଭାସ ପୂର୍ବରୁ ହିଁ ହୋଇଥିଲା। ଏଥିପାଇଁ ନିଜ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ହିଁ ଇନ୍ଦିରା ଗାନ୍ଧୀ ନିଜ ଭାଷଣ ବଦଳାଇ ଦେଇଥିଲେ। ଯାହାକୁ ଶୁଣି ଜନତାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ, ‘ମୁଁ ଆଜି ଏଠାରେ ଅଛି, କାଲି ଏଠାରେ ହୁଏତ ନଥିବି.. ଯେବେ ମୁଁ ମରିବି ସେତେବେଳେ ମୋ ରକ୍ତର ଗୋଟେ ଗୋଟେ ବୁନ୍ଦା ଭାରତକୁ ଆହୁରି ମଜବୁତ କରିବ।’ ଇନ୍ଦିରାଙ୍କ ଦ୍ୱାରା କୁହାଯାଇଥିବା ଏହି ବାକ୍ୟ ବିଜୁଳି ପରି ଲାଗିଥିଲା। ତାଙ୍କର ଏହି ଭାଷଣରେ ନିଜ ମୃତ୍ୟୁର ଦାବି କରିବା ଏମିତି ଲାଗିଥିଲା, ଯେପରି ସେ ନିଜେ ଲୋକଙ୍କୁ କହିଥିଲେ ଯେ, ଏହା ତାଙ୍କର ଶେଷ ଭେଟ ଥିଲା।
୩୧ ଅକ୍ଟୋବରରେ ଇନ୍ଦିରା ଗାନ୍ଧୀଙ୍କ ବଡିଗାର୍ଡ ତାଙ୍କୁ ଗୁଳି ମାରିଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା, ହେଲେ ମୃତ୍ୟୁର ପୂର୍ବ ଦିନ ଇନ୍ଦିରା ବହୁତ ବିଚଳିତ ଥିଲେ। ସେ ସେହି ରାତିରେ ନିଜ ଔଷଧ ଆଣିବାକୁ ନିଜ ବୋହୂ ସୋନିଆ ଗାନ୍ଧୀଙ୍କ ପାଖକୁ ଯାଇଥିଲେ। ଇନ୍ଦିରା ସୋନିଆଙ୍କୁ କହିଥିଲେ ଯେ, ଚିନ୍ତା କରିବନି ମୁଁ ତୁମମାନଙ୍କ ସହ ଅଛି। ସେହି ରାତିରେ ଇନ୍ଦିରା ଗାନ୍ଧୀ ଶୋଇନଥିଲେ ବୋଲି ସୋନିଆ ଗାନ୍ଧୀଙ୍କ ପାଖରୁ ସୂଚନା ମିଳିଛି।