ପାକିସ୍ତାନକୁ ଝଟକା, ସିନ୍ଧୁ ଜଳ ଆବଣ୍ଟନ କ୍ଷେତ୍ରରେ ମଧ୍ୟସ୍ଥତା କରୁଥିବା ଅଦାଲତର ନିଷ୍ପତ୍ତିକୁ ମାନିବନି ଭାରତ

ନୂଆଦିଲ୍ଲୀ: ସିନ୍ଧୁ ନଦୀ ଜଳ ଆବଣ୍ଟନ କ୍ଷେତ୍ରରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗତ ଗୁରୁବାର ପାକିସ୍ତାନ ଆଶା ପ୍ରକାଶ କରିଥିଲା ଯେ, ଭାରତ ସିନ୍ଧୁ ଜଳ ସନ୍ଧି ସଦଭାବନାକୁ ଲାଗୁ କରିବ । କିନ୍ତୁ ଏହା ପୂର୍ବରୁ ଭାରତ କହିଥିଲା କାଶ୍ମୀରରେ କିଶନଗଙ୍ଗା ଓ ରତଲେ ବିଜୁଳି ପରିଯୋଜନାକୁ ନେଇ ହ୍ୟାଗସ୍ଥିତ ସ୍ଥାୟୀ ମଧ୍ୟସ୍ଥତା ଅଦାଲତରେ ଭାଗ ନେବା ଲାଗି ତାକୁ ବାଧ୍ୟ କରାଯାଇପାରିବ ନାହିଁ । ଇସଲାମବାଦ ବିଦେଶ କାର୍ଯ୍ୟାଳୟ କହିଛି ଯେ, ସ୍ଥାୟୀ ମଧ୍ୟସ୍ଥତା ଅଦାଲତ ଏହି ବିବାଦକୁ ସମାଧାନ କରିବା ଲାଗି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ।

ବିଦେଶ କାର୍ଯ୍ୟାଳୟ କହିଛି ସିନ୍ଧୁ ଜଳ ସନ୍ଧି ଜଳ ଆବଣ୍ଟନ କ୍ଷେତ୍ରରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ମୌଳିକ ବୁଝାମଣା । କାର୍ଯ୍ୟାଳୟ କହିଛି ଆମେ ଆଶା କରୁଛୁ ଭାରତ ଏହି ସନ୍ଧିକୁ ସଦଭାବନାର ସହିତ ଲାଗୁ କରିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ହ୍ୟାଗସ୍ଥିତ ମଧ୍ୟସ୍ଥତା ଅଦାଲତ ରାୟ ଦେଇଛି କି ଜଳ ବିଦ୍ୟୁତ ମାମଲାରେ ନୂଆଦିଲ୍ଲୀ ଓ ଇସଲାମବାଦ ମଧ୍ୟରେ ସୃଷ୍ଟ ବିବାଦ ଉପରେ ବିଚାର କରିବା ଲାଗି ଏହାର ଅଧିକାର ରହିଛି । କିନ୍ତୁ ଭାରତ କହିଛି ସେ ସ୍ଥାୟୀ ମଧ୍ୟସ୍ଥତା ଅଦାଲତରେ ପାକିସ୍ତାନ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟବାହୀରେ ସାମିଲ ହେବ ନାହିଁ । କାରଣ ସିନ୍ଧୁ ଜଳ ସନ୍ଧି ରୂପରେଖକୁ ନେଇ ବିବାଦ ପୂର୍ବରୁ ଏକ ନିଷ୍ପକ୍ଷ ବିଶେଷଜ୍ଞ ଏହାର ପରୀକ୍ଷା କରୁଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଭାରତ ଅବୈଧ ଓ ଅସମାନ୍ତର କାର୍ଯ୍ୟବାହୀକୁ ମାନିବା କିମ୍ବା ଏଥିରେ ଭାଗ ନେବା ପାଇଁ ବାଧ୍ୟ ନୁହେଁ । କାରଣ ଏ ବିଷୟରେ ସନ୍ଧିରେ କିଛି ଉଲ୍ଲେଖ ନାହିଁ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୯୬୦ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ସୀମାପାର ନଦୀ ସମ୍ବନ୍ଧରେ ଦୁଇ ଦେଶ ମଧ୍ୟରେ ଏହି ସନ୍ଧି ହୋଇଥିଲା ।