fbpx

ଆଗକୁ କିପ୍ୟାଡ ମୋବାଇଲ ଫୋନରେ ମଧ୍ୟ କରିହେବ ୟୁପିଆଇ ପେମେଣ୍ଟ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଲେ ଆରବିଆଇ ଗଭର୍ଣ୍ଣର

ଇନ୍ଦୋର:ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆଗକୁ ଫିଚର ଫୋନ୍ (କିପ୍ୟାଡ ମୋବାଇଲ ଫୋନ)ରେ ମଧ୍ୟ ୟୁପିଆଇ ପେମେଣ୍ଟ ସିଷ୍ଟମ ଅପରେଟ୍ କରିହେବ । ଏଥିପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶକ୍ତିକାନ୍ତ ଦାସ ଏହା କହିଛନ୍ତି ।

ସେ କହିଛନ୍ତି ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବେଶ୍ ସଫଳତା ଲାଭ କରିଛି । ଏହା ସରକାରୀ ସମର୍ଥନରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସୁନ୍ଦର ଓ ସଫଳ ଉଦ୍ୟମ । ସରକାରଙ୍କ ସମର୍ଥନରେ ଆରବିଆଇ ୟୁପିଆଇକୁ ସାରା ବିଶ୍ୱରେ ଏକ ବୃହତ୍ତ ପେମେଣ୍ଟ ସିଷ୍ଟମରେ ପରିଣତ କରିପାରିଛି ।

କେନ୍ଦ୍ରୀୟ ବୋର୍ଡ ବୈଠକରେ ଶକ୍ତିକାନ୍ତ ଦାସ କହିଛନ୍ତି ଅଗଷ୍ଟ ମାସରେ ୟୁପିଆରେ କାରବାର ୧୦ ବିଲିୟନ ଟପିଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୟୁପିଆଇ ୨୦୧୬ରେ ଆରମ୍ଭ ହୋଇଥିଲା ଓ ଏହା ଦ୍ରୁତ ଗତିରେ ଆଦୃତ ହୋଇଚାଲିଥିଲା । ଏହା ଆହୁରି ଆଗକୁ ଯିବବୋଲି ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଦେଶରେ ଡିଜିଟାଲ କାରବାର ଭଲ ଚାଲିଥିବା ବେଳେ ୟୁପିଆଇ କ୍ଷେତ୍ରରେ ମୁଖ୍ୟ ଆହ୍ୱାନ ଥିଲା ଯେ, ଏହା ଏକ ସ୍ମାର୍ଟଫୋନରେ ପରିଚାଳିତ ହୋଇପାରୁଥିଲା । କିନ୍ତୁ ଆମ ଦେଶରେ ଏବେ ବି ବହୁ ଲୋକ କିପ୍ୟାଡ ଫୋନ ବ୍ୟବହାର କରୁଛନ୍ତି । ଏହି କ୍ରମରେ ଆମେ ଏପରି କିଛି ସାମଗ୍ରୀ ଲଞ୍ଚ କରିବାକୁ ଯାଉଛୁ ଯାହାଦ୍ୱାରା ଲୋକମାନେ ଫିଚର ଫୋନ୍‌ରେ ମଧ୍ୟ ୟୁପିଆଇ ଅପରେଟ କରିପାରିବେ । ଏହା ସହିତ ଯେଉଁସବୁ ସ୍ଥାନରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଏପରି ବ୍ୟବସ୍ଥା କରାଯାଉଛି ଯଦ୍ଦ୍ୱାରା ୟୁପିଆଇ ଟ୍ରାନଜାକସନ ସମ୍ଭବ ହୋଇପାରିବ ।

ଶକ୍ତିକାନ୍ତ ଦାସ କହିଛନ୍ତି ଆମେ ସେହି ଦେଶମାନଙ୍କ ମଧ୍ୟରେ ରହିଛୁ ଯିଏ କି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସୀ ନାମରେ ଅର୍ଥାତ୍ ଇ-ମୁଦ୍ରା ନାମରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହା ହେଉଛି ଏକ ପେପର ମୁଦ୍ରା ଓ ଏହା ମୁଦ୍ରାର ଏକ ଡିଜିଟାଲ ୟୁନିଟ ଅଟେ । ଏହି ପ୍ରୋଜେକ୍ଟ ଉପରେ ଏବେ କାମ ଜାରି ରହିଛି ।

ମୁଦ୍ରାସ୍ଫୀତି ବିଷୟରେ ସୂଚନା ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି ଜୁଲାଇରେ ମୁଦ୍ରାସ୍ଫୀତି ୭.୪ ପ୍ରତିଶତ ଥିଲା, ଯାହା ବହୁତ ଅଧିକ ଥିଲା । ମୁଖ୍ୟତଃ ପନିପରିବାର ଚଢାଦର ଲାଗି ମୁଦ୍ରାସ୍ପୀତି ଅଧିକ ରହିଥିଲା । ଟମାଟୋ ମୂଲ୍ୟ ୨୦୦ ପ୍ରତିଶତ ବଢିଯାଇଥିବାରୁ ଏହାର ପ୍ରଭାବ ଅନ୍ୟ ପରିବା ଉପରେ ମଧ୍ୟ ପଡିଥିଲା । କିନ୍ତୁ ସେପ୍ଟେମ୍ବରରେ ଏହି ଦରବୃଦ୍ଧି ହ୍ରାସ ପାଇବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଟମାଟୋ ସହିତ ବିଭିନ୍ନ ପନିପରିବାର ଦରବୃଦ୍ଧି ନିୟନ୍ତ୍ରଣ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହି କାରଣରୁ ସେପ୍ଟେମ୍ବର ଠାରୁ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ଭାରତ ଏବେ ଦ୍ରୁତ ଗତିରେ ବିକାଶ ସାଧନ କରୁଛି । ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ଏହା ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.