ପୋଲିସ ଟୋପି କୁ ଅବମାନନା ,ଏନଏସି ଯନ୍ତ୍ରୀ ଙ୍କ ପୋଲିସ ଟୋପି ପିନ୍ଧିଥିବା ଫୋଟୋ ଭାଇରାଲ

ତଦନ୍ତ ଚଳାଇଛି ପୋଲିସ, ହଟହଟା ହେଲେ ଯନ୍ତ୍ରୀ

ମାଲକାନଗିରି  ,4/4 : ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି କୁ ମଥା ରେ ପିନ୍ଧିଥିବା ଫୋଟୋ ଏବେ ସୋସିଆଲ ମିଡିଆ ଓ ପ୍ରତ୍ୟେକ ଙ୍କ ମୋବାଇଲ ରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ପୋଲିସ ଟୋପିର ଅପବ୍ୟବହାର କରିଥିବା ହେତୁ ବର୍ତ୍ତମାନର ହରଡ଼ ଘଣାରେ ପଡିଛନ୍ତି ଯନ୍ତ୍ରୀ। ପୋଲିସ ଟୋପି କୁ କନିଷ୍ଠ ଯନ୍ତ୍ରୀ ଜଣକ ଅପବ୍ୟବହାର କରିଥିବା ଏବଂ ଅବମାନନା କରିଥିବା ଯୋଗୁ ସେ ଥାନା ର ସମ୍ମୁଖୀନ ହୋଇଥିଲେ। ଘଟଣା ରୁ ପ୍ରକାଶ ଯେ ବାଲିମେଳା ଏନଏସି ରେ କୋଭିଡ-୧୯ ଯୋଗୁ ମାସ୍କ ଚେକିଂ ପାଇଁ କିଛି ଏନଏସି କର୍ମଚାରୀ ଓ ପୋଲିସ ର ମିଳିତ ସ୍କ୍ୱାର୍ଡ ବାଲିମେଳା ସହରର ବିଭିନ୍ନ ଛକ ଏବଂ ସ୍ଥାନ ମାନଙ୍କରେ ମାସ୍କ ଚେକିଂ କରିବା ସହ ଲୋକଙ୍କୁ ସଚେତନ କରାଉଥିଲେ। ଅମାନିଆ ଙ୍କ ଠାରୁ ଜୋରିମାନା ବି ଆଦାୟ କରୁଥିଲେ। ସେହି ଯାଞ୍ଚ ଟିମ ରେ କାର୍ଯ୍ୟରତ ଥିବା ଜଣେ ପୋଲିସ କର୍ମଚାରୀ ଏନଏସି ର ଗାଡ଼ିରେ ଟୋପି ଟିକୁ ରଖି ଯାଞ୍ଚ କରୁଥିବା ସମୟରେ ଉକ୍ତ ଏନଏସି ର କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଏନଏସି ର ଗାଡ଼ିରେ ବସିଥିଲେ। ସେହି ଗାଡ଼ିରେ ଥିବା ପୋଲିସ ଟୋପି କୁ ଦେଖି ମୁଣ୍ଡରେ ପିନ୍ଧି ସେଲ୍ଫି ଫୋଟୋ କାଢ଼ିବା ପରେ ଉକ୍ତ ଫୋଟୋ କୁ ଫେସବୁକ ରେ ଅପଲୋଡ କରିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଏ ସମ୍ପର୍କରେ ଜାଣିବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ଉକ୍ତ ଫୋଟୋ ଏବଂ ଭିଡିଓ ନିଜ ଫେସବୁକ ରୁ ଡିଲିଟ କରିଦେଇଥିଲେ। କିନ୍ତୁ ଏହି ଫୋଟୋ ପୋଲିସ ର ନଜର ରୁ ଖସି ପାରିନଥିଲା। ଯାହାଦ୍ୱାରା ଏହି ଘଟଣା ଦାଣ୍ଡରେ ପଡି ହାଟରେ ଗଡ଼ିବା ପରେ ଓରକେଲ ଥାନା ପୋଲିସ ଘଟଣା ରେ ସମ୍ପୃକ୍ତ ଥିବା ଯନ୍ତ୍ରୀ ଙ୍କୁ ଥାନା କୁ ଡକାଇ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ସମ୍ମୁଖରେ ଶ୍ରୀ ବେହେରା ତାଙ୍କ ଭୁଲ ସ୍ୱୀକାର କରିଥିଲେ। ଏଥିସହ ଏଭଳି ଭୁଲ ଆଉ ଜୀବନରେ କେବେ କରିବେନି ବୋଲି ଏକ ଲିଖିତ ଭାବେ ପ୍ରଦାନ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଜେଇ ଙ୍କୁ ତାଗିଦ କରି ଛଡ଼ାଯାଇଥିବା ଓରକେଲ ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଆମେ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମେ ଏନଏସି ଗାଡିକୁ ନେଇ ଚିତ୍ରକୋଣ୍ଡା ଯିବାକୁ ବାହାରିଥିଲୁ ଉକ୍ତ ଗାଡିରେ ଥିବା ପୋଲିସ ଟୋପି କୁ ପିନ୍ଧି ସେ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରି ଭୁଲ କରିଥିବା ସ୍ୱୀକାର କରିଥିଲେ।