fbpx

ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର(ଓଡ଼ିଶା ଭାସ୍କର) : ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଜଣାପଡିଛି । ଇଣ୍ଟରନେଟ୍ ସେବର ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଗତକାଲିଠାରୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି ।

ତେବେ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା । ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୋଲିସ ଉପରକୁ ପଥର ମାଡ଼ ହୋଇଥିଲା । ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

ସୂଚନା ମୁତାବକ, ସମ୍ବଲପୁର ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ପ୍ରଶାସନ ତରଫରୁ ବୁଧବାର ସନ୍ଧ୍ୟା ୭ଟା ପରଠାରୁ ୧୪୪ ଧାରା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ। ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ପ୍ରବେଶ ଚନ୍ଦ୍ର ଦଣ୍ଡସେନା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଶ୍ରୀ ଦଣ୍ଡସେନା କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଟାଉନ୍‌, ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି, ସଦର ଥାନା ଅଞ୍ଚଳରେ ଉତ୍ତେଜନା ପ୍ରବଣ ରହିଛି। ତେଣୁ ଏହିସବୁ ଅଞ୍ଚଳରେ ଦୁଇରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ।

Get real time updates directly on you device, subscribe now.