fbpx

କ୍ରୀଡ଼ା ଜଗତରେ ଚାଞ୍ଚଲ୍ୟ: ଆଇପିଏଲ ଷ୍ଟାରଙ୍କୁ ୮ ବର୍ଷର ଜେଲଦଣ୍ଡ, କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିକଟରେ ଦିନିକିଆ ବିଶ୍ୱକପ ସମାପ୍ତ ହୋଇଥିବା ବେଳେ ଆଗକୁ ଆସୁଛି ଟି-୨୦ ବିଶ୍ୱକପ । ସେନେଇ ବିଭିନ୍ନ ଟିମ୍ ସମେତ ଟିମ୍ ଇଣ୍ଡିଆ ମଧ୍ୟ ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଗାମୀ ବିଶ୍ୱକପରେ ଖେଳିବା ନେଇ ଇଚ୍ଛା ପ୍ରକାଶ କରିବା ପରେ ଟିମ୍ ଇଣ୍ଡିଆର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିଛି ।

ଏଥିସହିତ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୭ତମ ସଂସ୍କରଣ ଖେଳାଯିବ । ସେନେଇ ନିକଟରେ ଫ୍ରାଞ୍ଚାଇଜମାନଙ୍କ ପକ୍ଷରୁ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି । ଅଷ୍ଟ୍ରେଲୀୟ କ୍ରିକେଟ ଆଇପିଏଲ ପ୍ୟାଟ କମିନ୍ସ ୨୦.୫ କୋଟିରେ ଓ ମିଚେଲ ଷ୍ଟାର୍କ ୨୪.୭୫ କୋଟିରେ ବିକ୍ରି ହୋଇଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଦୁଇଜଣ ଖେଳାଳି ୨୦ କୋଟି ପ୍ରାଇସ୍ ଅତିକ୍ରମ କରିଥିଲେ ।

ତେବେ ଆଗାମୀ କ୍ରୀଡ଼ା ଇଭେଣ୍ଟ ପାଇଁ ପ୍ରତ୍ୟେକ ଟିମ୍ ଖେଳାଳିଙ୍କ ଚୟନ ନେଇ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଜଣେ ଆଇପିଏଲ ଷ୍ଟାରଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ପୂର୍ବରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଏବେ କାଠମାଣ୍ଡୁର ଏକ କୋର୍ଟ ତାଙ୍କୁ ୮ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ୨୩ ବର୍ଷୀୟ ସନ୍ଦୀପ ନେପାଳ କ୍ରିଟେର ଜଣେ ବଡ଼ ଚେହେରା ହୋଇଥିବା ବେଳେ ସେ ଆଇପିଏଲରେ ଖେଳିସାରିଛନ୍ତି । ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ତରଫରୁ ସନ୍ଦୀପଙ୍କ ବିରୋଧରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଥାନାରେ ଏକ ମାମଲା ଦାୟର ହୋଇଥିଲା । ସନ୍ଦୀପ ୯ଟି ଆଇପିଏଲ ମ୍ୟାଚ ଖେଳି ୧୩ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହିତ ଅର୍ନ୍ତଜାତୀୟ କ୍ରିକେଟରେ ସେ ନେପାଳ ପାଇଁ ୫୨ଟି ଟି-୨୦ ମ୍ୟାଚ ଖେଳି ୯୮ଟି ୱିକେଟ ଓ ୫୧ଟି ଦିନିକିଆ ଖେଳି ୧୧୨ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.