fbpx

ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯିବେ IPL ଷ୍ଟାର! କ୍ରିକେଟରଙ୍କ ଉପରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରିକେଟରେ ନିଜ ଟାଲେଣ୍ଟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଜଣେ ଆଇପିଏଲ ଷ୍ଟାରଙ୍କ ବିରୋଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସି ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଇପିଏଲର ଏହି ଷ୍ଟାର କ୍ରିକେଟର । ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏହାକୁ ନେଇ କ୍ରିକେଟ ଜଗତରେ ଏବେ ଝଡ଼ ସୃଷ୍ଟି ହୋଇଛି । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସେ ଦଣ୍ଡିତ ହେଲେ, ତାଙ୍କ କ୍ରିକେଟ କ୍ୟାରିୟରରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

ବିଭିନ୍ନ କ୍ରିକେଟ ଲିଗରେ ଖେଳି ସୁନାମ ଅର୍ଜନ କରିଥିବା ଷ୍ଟାର ପ୍ଲେୟର ସନ୍ଦୀପ ଲାମିଛାନେ ଏଭଳି ଏକ ସାଂଘାତିକ ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି । ନେପାଳ ରାଷ୍ଟ୍ରୀୟ କ୍ରିକେଟ ଟିମର ଅଧିନାୟକ ସନ୍ଦୀପଙ୍କୁ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ସନ୍ଦୀପଙ୍କୁ ଗତବର୍ଷ ଅଗଷ୍ଟ ୧୭ ତାରିଖରେ ଗିରଫ କରିଥିଲା ପୋଲିସ । ତେବେ ନେପାଳ କୋର୍ଟ ଗତ ଜାନୁୟାରୀରେ ମୁକ୍ତ କରିଥିବା ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ନେପାଳ ବିଚାରପତି ଶିଶିର ରାଜ ଢକାଳଙ୍କ ଖଣ୍ଡପୀଠ ଆଜି ଏହି ଆଦେଶ ପାରିତ କରିଛନ୍ତି । ରବିବାର ଏହାର ଶେଷ ଶୁଣାଣି ଆରମ୍ଭ ହୋଇଥିବା ବେଳେ କାଠମାଣ୍ଡୁ ଜିଲ୍ଲା ଅଦାଲତ ଆଜି ସନ୍ଦୀପଙ୍କୁ ଏହି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ଶୁଣାଣିରେ ଅଭିଯୁକ୍ତ ତଥା କ୍ରିକେଟର ସନ୍ଦୀପ ଲାମିଛାନେଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯିବ । ତେବେ ବର୍ତ୍ତମାନ ସନ୍ଦୀପ ଜାମିନରେ ରହିଛନ୍ତି । ୨୩ ବର୍ଷୀୟ ସନ୍ଦୀପ ଆଇପିଏଲରେ ଭାଗ ନେଇଥିବା ପ୍ରଥମ ନେପାଳୀ କ୍ରିକେଟର ପାଲଟିଥିଲେ । ନେପାଳ ପାଇଁ ୫୧ ଦିନିକିଆ ମ୍ୟାଚରେ ମୋଟ ୧୧୨ ୱିକେଟ ହାସଲ କରିଥିବା ବେଳେ ୫୨ ଟି-୨୦ରୁ ୯୮ ସଫଳତା ନିଜ ନାମରେ କରିଛନ୍ତି ସନ୍ଦୀପ ଲାମିଛାନେ ।

Get real time updates directly on you device, subscribe now.