ନୂଆଦିଲ୍ଲୀ: ଆଗକୁ ଥଣ୍ଡା ସିଜିନ ଆସୁଥିବା ବେଳେ ଏହି ସମୟରେ ନୂଆ ନୂଆ ସ୍ଥାନ ପରିଦର୍ଶନ କରିବାର ମଜା ଅଲଗା । ତେବେ ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ଖାସ୍ ସୁଯୋଗ ଆସିଛି । ଆପଣ ମାତ୍ର ୬୧୫ ଟଙ୍କାରେ ଟିକେଟ୍ ବୁକିଂ କରି ଦକ୍ଷିଣ ଭାରତର ଅନେକ ଆକର୍ଷଣୀୟ ତଥା ମନଲୋଭା ସ୍ଥାନ ପରିଦର୍ଶନ କରିପାରିବେ । ନିମ୍ନ ଆୟକାରୀ ବ୍ୟକ୍ତି ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏହି ଟୁର୍ ପ୍ୟାକେଜ ଲଞ୍ଚ କରାଯାଇଛି ।
ଆସନ୍ତା ମାସ ୧୪ ତାରିଖରୁ ଏହି ପ୍ୟାକେଜର ଯାତ୍ରା ଆରମ୍ଭ ହୋଇ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ୟାକେଜରେ ମୋଟ ୯ ଦିନ ଓ ୮ ରାତି ରହିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ୧୭,୬୪୦ ଟଙ୍କା ଦେବାକୁ ପଡ଼ିବ । ତେବେ ଏହି ପ୍ୟାକେଜର ଖାସ୍ କଥା ହେଉଛି, ଏଥିପାଇଁ ବିଭିନ୍ନ ବ୍ୟାଙ୍କ ଦ୍ୱାରା ମାସିକ ୬୧୫ ଟଙ୍କାର ଇଏମଆଇ ବ୍ୟବସ୍ଥା କରାଯାଇଛି । ନିମ୍ନ ଆୟବର୍ଗ ତଥା ଅନ୍ୟ ଲୋକମାନେ ଏହି ସୁବିଧାର ଫାଇଦା ଉଠାଇ ପାରିବେ ।
ଏହି ପ୍ୟାକେଜରେ ରାମେଶ୍ୱରମ, ମଦୁରାଈ, ମଲ୍ଲିକାର୍ଜୁନ ଓ ତିରୁପତି ବାଲାଜୀଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ଜଣେ ବ୍ୟକ୍ତି ଗୋରଖପୁର, ବାରାଣସୀ, ପ୍ରୟାଗରାଜ ସଙ୍ଗମ, ଲକ୍ଷ୍ନୌ, କାନପୁର ଓ ବିରାଙ୍ଗନା ଲକ୍ଷ୍ମୀବାଈଠାରୁ ଟ୍ରେନରେ ଚଢ଼ି ପାରିବେ । ଏହି ଯାତ୍ରା ଅବସରରେ ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତିର ଶାକାହାରୀ ଭୋଜନ, ବସ ଦ୍ୱାରା ସ୍ଥାନୀୟ ଯାତ୍ରା, ଧର୍ମଶାଳାରେ ରହିବାର ବ୍ୟବସ୍ଥା ଉପଲବ୍ଧ ରହିଛି । ଇଚ୍ଛୁକ ବ୍ୟକ୍ତିମାନେ ଆଇଆରସିଟିସିର ୱେବସାଇଟ www.irctctourism.comକୁ ଯାଇ ସବିଶେଷ ବିବରଣୀ ପାଇବା ସହ ଅନଲାଇନ୍ ବୁକିଂ କରିପାରିବେ ।