fbpx

T20 WCରେ ବଡ ବିପର୍ଯ୍ୟୟ: ସୁପର ୧୨ରେ ଆୟରଲାଣ୍ଡ, ଦୁଇ ଥର ଓ୍ଵାର୍ଲ୍ଡ ଚାମ୍ପିଅନ ବିଶ୍ଵ କପରୁ ବିଦା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପରେ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଦୁଇ ଥରର ବିଶ୍ଵ କପ୍ ବିଜେତା ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବାଦ୍ ପଡି ଚଳିତ ବିଶ୍ଵ କପରୁ ବିଦା ହୋଇଛି। ଆୟରଲାଣ୍ଡ ଗ୍ରୁପ ବିର ନିର୍ଣ୍ଣାୟକ ମୁକାବିଲାରେ ଓ୍ଵେଷ୍ଟଇଣ୍ଡିଜକୁ ୯ ଓ୍ଵିକେଟରେ ହରାଇ ବିଶ୍ଵ କପର ବିଦାୟର ରାସ୍ତା ଦେଖାଇଛି। ଏଥିସହ ଗ୍ରୁପ ବିରୁ ପ୍ରଥମ ଦଳ ଭାବେ ସୁପର ୧୨କୁ ଉନ୍ନୀତ ହୋଇଛି। ପ୍ରଥମ ରାଉଣ୍ଡରୁ ତୃତୀୟ ଦଳ ଭାବେ ଆୟରଲାଣ୍ଡ ସୁପର ୧୨ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ପଲ ଷ୍ଟିରଲିଙ୍ଗଙ୍କ ଅପରାଜିତ ୬୬ ରନ ଏବଂ ଲରକାନ ଟକ୍କରଙ୍କ ଅପରାଜିତ ୪୫ ରନ ବଳରେ ଆୟରଲାଣ୍ଡ ୯ ଓ୍ଵିକେଟର ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ୫ ଓ୍ଵିକେଟ୍ ହରାଇ ୧୪୬ ରନ କରିଥିଲା। ଦଳ ପକ୍ଷରୁ ବ୍ରେଣ୍ଡନ କିଙ୍ଗ ଅପରାଜିତ ୬୨ ରନର ଇନିଂସ ଖେଳିଥିଲେ। ଆୟରଲାଣ୍ଡ ପକ୍ଷରୁ ଡେଲାନି ୪ ଓଭରରେ ୧୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଓ୍ଵେଷ୍ଟଇଣ୍ଡିଜ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ ସ୍କୋର କରି ପାରିନଥିଲା। ବ୍ରେଣ୍ଡନ କିଙ୍ଗକୁ ବାଦ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଚାର୍ଲସ ୨୪ ରନ କରିଥିବା ବେଳେ ଲେଓ୍ଵିସ ଏବଂ ନିକୋଲାସ ପୁରନ ୧୩ ରନ କରିଥିଲେ। ଓଡେନ ସ୍ମିଥ୍ ୧୯ ରନ କରି ଅପରାଜିତ ଥିଲେ। ତେବେ ବ୍ରେଣ୍ଡନ କିଙ୍ଗ ୪୮ ବଲରୁ ୬ ଚୌକା ଏବଂ ୧ ଛକା ଜରିଆରେ ୬୨ ରନ କରିବାରୁ ଓ୍ଵେଷ୍ଟଇଣ୍ଡିଜ ୧୪୬ ରନର ସମ୍ମାନଜନକ ସ୍କୋର କରି ପାରିଥିଲା।

ଜବାବରେ ଆୟରଲାଣ୍ଡର ଦୁଇ ଓପନର ପଲ୍ ଷ୍ଟିରଲିଙ୍ଗ ଏବଂ ଆଣ୍ଡ୍ର୍ୟୁ ବାଲବିରନିଏ ବିସ୍ଫୋରକ ବ୍ୟାଟିଂ କରି ଦୃଢ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟରେ ୭୩ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ବାଲବିରନିଏ ୨୩ ବଲରୁ ୩ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୩୭ ରନ କରିଥିଲେ। ଏହି କ୍ରମରେ ପଲ୍ ଷ୍ଟିରଲିଙ୍ଗ ଅର୍ଦ୍ଧଶତକ ହାସଲ କରିଥିଲେ। ଲୋରକାନ ଟକ୍କର ମଧ୍ୟ ୪୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ପଲ ଷ୍ଟିରଲିଙ୍ଗ ୪୮ ବଲରୁ ୬ ଚୌକା ଏବଂ ୨ ଛକା ସହାୟତାରେ ୬୬ ରନ କରି ଅପରାଜିତଥିଲେ। ତାଙ୍କର ଏହି ଇନିଂସ ଦମରେ ଆୟରଲାଣ୍ଡ ୧୭.୩ ଓଭରରେ ୧୫୦ ରନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ଐତିହାସିକ ବିଜୟ ହାସଲ କରି ସୁପର ୧୨ରେ ପ୍ରବେଶ କରିଛି।

Get real time updates directly on you device, subscribe now.