ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏହି ବିଜୟ ପରେ ଟ୍ରମ୍ପ ବିଜୟୀ ଭାଷଣ ଦେବା ସହ ଯୁଦ୍ଧ ବନ୍ଦ ହେବ ବୋଲି ସାରା ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି । ଅନ୍ୟପକ୍ଷରେ ଏହି ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ତାଙ୍କର ବିଶ୍ୱସ୍ତ ବନ୍ଧୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହେବା ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ନେଇ ଅନେକ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ଫଟୋ, ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ତେବେ ଟ୍ରମ୍ପଙ୍କ ବିଜୟ ପଛରେ ଓଡ଼ିଶା ସହ ସାମଞ୍ଜସ୍ୟ ଥିବା ଏକ ଖବର ଏବେ ସାମ୍ନାକୁ ଆସିଛି ।
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ବହୁଳ ଭାବେ ବୃଦ୍ଧି ପାଇଥିବାରୁ ସବୁ ନିର୍ବାଚନରେ ରାଜନେତାମାନେ ଡିଜିଟାଲ ମୋଡ଼ରେ ପ୍ରଚାର କରୁଥିବା ଦେଖାଯାଉଛି । ଏହିକ୍ରମରେ ଦୁଇଦିନ ତଳେ ସୋସିଆଲ ମିଡ଼ିଆରେ ଟ୍ରମ୍ପଙ୍କ କିଛି ଏଆଇ ଆଧାରିତ ଫଟୋ ଭାଇରାଲ ହୋଥିଲା । ସେହି ଫଟୋରେ ଟ୍ରମ୍ପ ଜଣେ ଓଡ଼ିଆ ରାଜନେତାଙ୍କ ପରି ପୋଷାକ ପରିଧାନ କରିଥିଲେ । ଯଦିଓ ଟ୍ରମ୍ପଙ୍କ ସହିତ ଓଡ଼ିଶାର ସିଧାସଳଖ ଭାବେ ନିର୍ବାଚନରେ କୌଣସି ସମ୍ବନ୍ଧ ନାହିଁ, ତେବେ ଏଆଇ ଜରିଆରେ ଏଡିଟ୍ ହୋଇଥିବା ଟ୍ରମ୍ପଙ୍କ ଏହି ‘ଓଡ଼ିଆ ଷ୍ଟାଇଲ’ ଫଟୋକୁ ନେଇ ୟୁଜର୍ସ ବେଶ୍ ଉପଭୋଗ କରିଥିଲେ । ଆମେରିକାରେ ଅନେକ ମୂଳ ଭାରତୀୟ ରହିବା ସହ ଓଡ଼ିଶାର ମଧ୍ୟ ଅନେକ ଭୋଟର ରହିଛନ୍ତି । ଏବେ ଟ୍ରମ୍ପ ଜିତିଯିବା ପରେ ସୋସିଆଲ ମିଡ଼ିଆର କିଛି ୟୁଜର୍ସ ଟ୍ରମ୍ପଙ୍କ ସେହି ପୁରୁଣା ଷ୍ଟାଇଲର ନିର୍ବାଚନ ପ୍ରଚାର କଥା ଉଠାଇଛନ୍ତି । ‘ଓଡ଼ିଆ ଷ୍ଟାଇଲ’ର ସେହି ପ୍ରଚାର ପାଇଁ ଟ୍ରମ୍ପ ଜିତିଗଲେ କି, ଟ୍ରମ୍ପଙ୍କ ସେହି ନୂଆ ଷ୍ଟାଇଲର ଫଟୋ ପ୍ରବାସୀ ଓଡ଼ିଆ ଭୋଟରଙ୍କ ମନକୁ ମୋହିନେଲା କି ବୋଲି ଏବେ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।