ଚାପ କ’ଣ ଗର୍ଭଧାରଣରେ ଅକ୍ଷମତା ପାଇଁ ଦାୟୀ କି? ଜାଣନ୍ତୁ କଣ କହୁଛି ସର୍ଭେ

ଆଜିକାଲି ବ୍ୟକ୍ତିର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ଦେବା ଦ୍ୱାରା ହିଁ ଚିନ୍ତା ସୃଷ୍ଟି ହୋଇଥାଏ । ଏହା ହୃଦୟକୁ ଆଘାତ କରିବା ସହ ରକ୍ତଚାପକୁ ମଧ୍ୟ ବଢାଇଥାଏ । ଏହି ସମୟରେ ପାପୁଲିରୁ ଝାଳ ବାହାରିବା, ଚର୍ମ ଥଣ୍ଡା ପଡିବା, ଆର୍ଦ୍ର ଅନୁଭବ କରିବା ସହ ନିଶ୍ୱାସ ନେବାରେ ତୀବ୍ରତା ଦେଖା ଦେଇଥାଏ ।

ଦୀର୍ଘଦିନ ଧରି ରହିଆସୁଥିବା ଚାପ ବା ସବୁବେଳେ ଚାପରେ ରହିବା ଦ୍ୱାରା ଉଦାସୀନତା ବା ଶୋଇବାରେ ବ୍ୟାଘାତ ହୋଇପାରେ । ଫଳରେ ସାଧାରଣ ସଂକ୍ରମଣକୁ ମୁକାବଲା କରିବା କଷ୍ଟସାଧ୍ୟ । ସେଥିରେ ପୁଣି ଯଦି ଶରୀରରେ ବିଭିନ୍ନ କାରଣ ଯୋଗୁ ହର୍ମୋନ୍ କ୍ଷରଣ କମ୍ ରହିଥାଏ । ତେବେ ସମସ୍ୟା ଅଧିକ ଦେଖା ଦେବା ସ୍ୱାଭାବିକ୍ ।

ଚାପ କ’ଣ ଗର୍ଭଧାରଣରେ ଅକ୍ଷମତା ପାଇଁ ଦାୟୀ କି?

ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି ଯେ ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ମାସରେ ଗର୍ଭବତୀ ହେବାର ସମ୍ଭାବନା ୨୯ ପ୍ରତିଶତ କମ୍ ହୋଇଥାଏ । ବେଳେ ବେଳେ ନାରୀଙ୍କ ଉପରେ ଥିବା ଅତ୍ୟଧିକ ଚାପ ହର୍ମୋନ୍ ସ୍ତରକୁ ବଦଳାଇ ଦେଇଥାଏ । ଫଳରେ ଅଣ୍ଡା ଠିକ୍ ଭାବେ ଆସିପାରି ନଥାଏ । ବନ୍ଧ୍ୟାଦୋଷ ଚାପ ସୃଷ୍ଟି କରେ କି? ଏ ବିଷୟରେ ଆଇଭିଏଫ୍ ବିଶେଷଜ୍ଞଙ୍କ କହିବା କଥା ବନ୍ଧ୍ୟାଦୋଷ ବିକିତ୍ସା କରୁଥିବା ଅନେକ ମହିଳା କର୍କଟ କିମ୍ବା ହୃଦ୍ଘାତରେ ପୀଡିତ ରୋଗୀଙ୍କ ପରି ଚାପରେ ରହିଥାନ୍ତି । ଯେତେବେଳେ ଦମ୍ପତ୍ତିଙ୍କୁ ବନ୍ଧ୍ୟା ବୋଲି କୁହାଯାଏ । ସେତେବେଳେ ସେମାନେ ନିଜକୁ ଅସହାୟ ମନେ କରିଥାନ୍ତି । ଏପରିକି ନିଜ ଉପରୁ ନ ି ୟ ନ୍ତ୍ର ଣ ହରାଇ ବସନ୍ତି, ଯାହା ଆଦୌ ଠିକ୍ ନୁହେଁ । ଏହି ସମସ୍ୟାରୁ ବାହାରକୁ ଆସିବା ପାଇଁ ଭାବପ୍ରବଣ ହେବା ପରିବର୍ତ୍ତେ ଶାରିରୀକ ଓ ମାନସିକ ଭାବେ ପ୍ରସ୍ତୁତ ହେବା ହିଁ ଶ୍ରେଷ୍ଠ ଉପାୟ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବୈବାହିକ ବିଶୃଙ୍ଖଳା, ଚାକିରି, ବ୍ୟବସାୟିକ ଚାପ, ବ୍ୟକ୍ତିଗତ ଆଘାତ ଓ ବିଳମ୍ବିତ ବିବାହ ବନ୍ଧ୍ୟାତା ସୃଷ୍ଟିର କାରଣ ହୋଇପାରେ । ବିଶେଷକରି ଚାକିରି କରୁଥିବା ମହିଳାମାନେ ଚାପକୁ କମାଇବା ପାଇଁ ନିମ୍ନ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି ।

-ଶୋଇବା ଖୁବ୍ ଜରୁରି । ତେଣୁ କର୍ମଜୀବୀ ମହିଳାମାନେ ଦିନକୁ ଅତି କମ୍ରେ ୬/୭ ଘଣ୍ଟା ନିଶ୍ଚୟ ଶୋଇବା ଆବଶ୍ୟକ ।

-ଶୋଇବା ପୂର୍ବରୁ ଜୀବନସାଥୀ ସହ ଥିବା ବେଳେ ଇମେଲ୍ କିମ୍ବା ବ୍ୟାବସାୟିକ କଲ୍ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏସବୁଠାରୁ ଦୂରେଇ ନ ରହିଲେ ଜୀବନସାଥୀ ସହ ଶାନ୍ତି ସମୟ ବିତାଇ ପାରିବେ ନାହିଁ ।

-ବୈବାହିକ ଜୀବନରେ ଯୌନ ସମ୍ପର୍କ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଜୀବନସାଥୀ ସହ ସୁସ୍ଥ ଜୀବନଯାପନ ଦ୍ୱାରା ହିଁ ସମ୍ପର୍କରେ ନିବିଡତା ଆସିଥାଏ ।

-ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହନ୍ତୁ । ଏହା ଗର୍ଭଧାରଣାର ସମସ୍ୟା ଆଣିପାରେ ।

-ଲାପଟପ୍, କମ୍ପ୍ୟୁଟର ଓ ମୋବାଇଲ୍ର ବ୍ୟବହାର କମାନ୍ତୁ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ର ବ୍ୟବହାର ସୀମିତ କରନ୍ତୁ । ବିଶେଷକରି ରାତିରେ ସେଥିରୁ ନିର୍ଗତ ବିକିରଣ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।