fbpx

ଶବର ପାହାଡ ମଧ୍ୟରେ ଶବ ହୋଇ ଜୀବନ ବଞ୍ଚାଇ ପାରିଥିଲେ ଆମେରିକୀୟ ମହିଳା, ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ବହୁ ପୀଡିତାଙ୍କ ଭୟାବହ ଅନୁଭବର କାହାଣୀ ସାମନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଜଣେ ଆମେରିକୀୟ ମହିଳା କହିଛନ୍ତି କିପରି ମ୍ୟୁଜିକ୍ ଫେଷ୍ଟିଭାଲ ଚାଲିଥିବା ସମୟରେ ହମାସର ନରସଂହାର ମଧ୍ୟରେ ସେ ବଞ୍ଚି ଯାଇଥିଲେ ।
ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସର ଆକ୍ରମଣ ପରେ ଏହି ମହିଳା ଜଣକ ନିଜକୁ ବଞ୍ଚାଇବା ଲାଗି ଶବର ପାହାଡ ମଧ୍ୟରେ ଶବ ହୋଇ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ । ଅନ୍ୟଥା ଜୀବିତ ପାଇଥିଲେ ହମାସ ଆତଙ୍କବାଦୀମାନେ ତାଙ୍କୁ ବନ୍ଧକ ବନାଇ ରଖିଥାନ୍ତେ । ଏହି ମହିଳାଙ୍କ ଘର କାଲିଫର୍ଣ୍ଣିଆରେ ହୋଇଥିବା ବେଳେ ତାଙ୍କ ନାମ ଲି ସାସୀ ।

ଇସ୍ରାଏଲ-ଗାଜା ସୀମାରୁ ମାତ୍ର ୩ ମାଇଲ ଦୂରରେ ଅନୁଷ୍ଠିତ ହେଉଥିଲା ସୁପରନୋଭା ଫେଷ୍ଟିଭାଲ । ଏହି ଫେଷ୍ଟିଭାଲରେ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଭାଗ ନେଇଥିଲେ । କିନ୍ତୁ ଅଚାନକ ହମାସର ଆକ୍ରମଣ ପରିସ୍ଥିତିକୁ ବଦଳାଇ ଦେଇଥିଲା । ଏଠାରେ ରକେଟ୍ ଫାୟାରର ଶବ୍ଦ ଶୁଣାଯିବା ପରେ ମ୍ୟୁଜିକ୍ ବନ୍ଦ କରି ଦିଆଯାଇଥିଲା ଓ ସୁରକ୍ଷା କର୍ମଚାରୀ ଲୋକମାନଙ୍କୁ ମଞ୍ଚରୁ ଦୂରେଇ ଦେଇଥିଲେ ।

ଲୀ ନିଜର ସେହି ସମୟର ଅନୁଭବକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ସେ ସମୟରେ ମୋ ଜୀବନର ସବୁଠାରୁ ସଂକଟପୂର୍ଣ୍ଣ ୬ ଘଣ୍ଟାକୁ ଅତିବାହିତ କରିଛି । ଆମେ ପାର୍ଟିରେ ନାଚୁଥିବା ବେଳେ ଓ ପରସ୍ପରର ଫଟୋ ନେଉଥିବା ବେଳେ ହଠାତ୍ ଆକାଶରେ ଆତସବାଜି ପରି ଦୃଶ୍ୟ ଦେଖିବାକୁ ପାଇଲୁ । ଏହାପରେ ଆମେ ନିଜ ନିଜ କାର୍ ଆଡକୁ ଧାଇଁଥିଲୁ । ମୁଁ ମୋର ୨ ଜଣ ସଂପର୍କୀୟଙ୍କ ସହିତ ଦୌଡୁଥିଲି ଯିଏ ଏକ ଅଲଗା କାର୍‌ରେ ଆସିଥିଲେ । ଏହାପରେ ସେ ମୋ ଠାରୁ ଅଲଗା ହୋଇଯାଇଥିଲେ । ଏହି ସମୟରେ ମୋର ବମ୍ ସେଲ୍ଟର ବିଷୟରେ ମନେ ପଡିଥିଲା । ମୁଁ ଓ ମୋର ଜଣେ ସଂପର୍କୀୟ ଚାଚା ସେହି ଆଡକୁ ଧାଇଁଥିଲୁ ।
ଏହି ଫେଷ୍ଟିଭାଲ ଆୟୋଜିତ ହେଉଥିବା ସ୍ଥାନ ଏକ ୱାନ ୱେ ରୋଡ୍ ଥିଲା ଓ ଏହା ଗାଜା ସୀମାରେ ହିଁ ଥିଲା । ରାସ୍ତା ବ୍ଲକ ଥିବାରୁ ଆମେ ବମ୍ ସେଲ୍ଟରକୁ ଚାଲି ଯାଇଥିଲୁ । ସେଠାରେ ପୂର୍ବରୁ ୩୫ ଜଣ ଲୋକ ଆଶ୍ରୟ ନେଇଥିଲେ । ଏହି ସମୟରେ କେହି ଜଣେ କହିଲେ ୨୦ ମିନିଟ୍ ଭିତରେ ଏଠାରେ ଆତଙ୍କବାଦୀ ଆକ୍ରମଣ ହେବ । ମୁଁ ଆଖି ବନ୍ଦ କରି ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି । ଏହାରି ମଧ୍ୟରେ ବହୁ ଲୋକ ଜୀବନ ରକ୍ଷା ଲାଗି ଏହି ସେଲ୍ଟରକୁ ଆସିଯାଇଥାନ୍ତି । ଏହି ସମୟରେ କିଛି ଆତଙ୍କବାଦୀ ଅଚାନକ ବମ୍ ସେଲ୍ଟର ମଧ୍ୟକୁ ପ୍ରବେଶ କରି ଲୋକଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଲେ । ଦେଖୁ ଦେଖୁ ମୋ ଆଖି ସାମ୍ନାରେ ୧୦ ଜଣଙ୍କୁ ଗୁଳି କରି ହତ୍ୟା କଲେ । ଏହାପରେ ସେମାନେ ବାହାରୁ ଗ୍ରେନେଡ୍ ମାଡ କରିଥିଲେ । ମୋ ଆଖି ସାମ୍ନାରେ ମୋ ଚାଚାଙ୍କର ଜୀବନ ଚାଲିଗଲା । ମୋ ସାମ୍ନାରେ ସେ ଜଳୁଥିଲେ ।

ଏହି ଆକ୍ରମଣ ସକାଳ ୮ଟାରେ ହୋଇଥିବା ସମୟରେ ଆମେ ସେଠାରେ ଦିନ ୨ ଟା ପର୍ଯ୍ୟନ୍ତ ଲୁଚି ରହିଥିଲୁ । ଆମେ ସେଠାରେ କାହାର ସାହାଯ୍ୟର ଅପେକ୍ଷା କରିଥିଲୁ । କିନ୍ତୁ ଏହି ଆଶା ଅମୂଳକ ଥିଲା । ମୋ ମୁଣ୍ଡ ମଧ୍ୟକୁ ଏକ ଆଇଡିଆ ଆସିଲା କି ଜୀବନ ବଞ୍ଚାଇବା ଲାଗି ମୋତେ ଶବ ମଧ୍ୟରେ ହିଁ ଶବ ହୋଇ ଲୁଚି ରହିବାକୁ ପଡିବ । ଏଠାରେ ଥିବା ୩୦ରୁ ୩୫ ଲୋକ ୧୦ ମିନିଟ୍ ମଧ୍ୟରେ ମରି ସାରିଥିଲେ । ଗ୍ରେନେଡରୁ ରକ୍ଷା ପାଇବା ଲାଗି ମୁଁ ଶବ ମଧ୍ୟରେ ଲୁଚିଗଲି । ଏହା ପୂର୍ବରୁ ମୋ ଫୋନକୁ ଏସଓଏସ୍ ଇମରର୍ଜେନ୍ସିରେ ରଖିଥିଲି ଓ ମୋ ସଂପର୍କୀୟଙ୍କୁ ହ୍ୱାଟସଆପ୍ ଲୋକେସନ୍ ପଠାଇ ଦେଇଥିଲି । ଫଳରେ ଶବ ମଧ୍ୟରୁ ମୋତେ ଜୀବିତ ଉଦ୍ଧାର କରାଯାଇ ପାରିଥିଲା ।

Get real time updates directly on you device, subscribe now.