ଇରାନକୁ ପୁଣି ଧମକ ଦେଲା ଇସ୍ରାଏଲ, କହିଲା ଆମେ କିଛି ବି କରିପାରୁ ମାତ୍ର…

ଜେରୁଜେଲମ,୧୭ା୬:ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଏହି ସମୟରେ ଚୀନ୍ ଏବଂ ଆମେରିକା ମଧ୍ୟସ୍ଥତା କରିବାକୁ ବାହାରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଛନ୍ତି। ସେହି ସମୟରେ ଚୀନ୍ କହିଛି ସେ ଉଭୟ ଦେଶ ସହିତ କଥା ହୋଇଛି।

ଇସ୍ରାଏଲ ତେହେରାନର ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ଜିଲ୍ଲା Cର ବାସିନ୍ଦାଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଜାରି କରିଛି। ସମ୍ଭାବ୍ୟ ଇସ୍ରାଏଲୀ ବିମାନ ଆକ୍ରମଣ ପୂର୍ବରୁ ଏହି ଚେତାବନୀ ଦିଆଯାଇଛି। ଇସ୍ରାଏଲୀ ସେନା ମୁଖପାତ୍ର ଅଭିଚାଇ ଆଡ୍ରାଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ ଇସ୍ରାଏଲୀ ସେନା ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯେପରି ଗତ କିଛି ଦିନ ମଧ୍ୟରେ ତେହେରାନର ଅନ୍ୟ ଅଂଶରେ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା।

ତେହେରାନର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଜିଲ୍ଲା Cରେ ଅନେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନ, ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟ, ଯୋଗାଯୋଗ ଏବଂ ଗୁପ୍ତଚର ସୁବିଧା ରହିଛି।

ଇସ୍ରାଏଲୀ ସାମରିକ ସୂତ୍ର ଅନୁଯାୟୀ, ସୋମବାର ସକାଳଠାରୁ ଇସ୍ରାଏଲୀ ଯୁଦ୍ଧବିମାନ ପଶ୍ଚିମ ଇରାନରୁ ତେହେରାନ ଅଭିମୁଖେ ଯାଉଥିବା ଅସ୍ତ୍ରଶସ୍ତ୍ର ଏବଂ ପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ଲଞ୍ଚରରେ ସଜ୍ଜିତ ଟ୍ରକଗୁଡ଼ିକୁ ଟାର୍ଗେଟ କରିଛି।

ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଦେଶର ଦକ୍ଷିଣରେ ଥିବା ଟେଲ୍ ନୋଫ୍ ଏୟାରବେସ୍ ପରିଦର୍ଶନ କରିଥିଲେ। ସେଠାରେ ନେତାନ୍ୟାହୁ ଦାବି କରିଥିଲେ ଯେ, ଇସ୍ରାଏଲୀ ବାୟୁସେନା ଏବେ ତେହେରାନ ଉପରେ ଆକାଶକୁ ନିୟନ୍ତ୍ରଣ କରୁଛି। ସେ କହିଥିଲେ, ଆମେ ଦୁଇଟି ମୁଖ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛୁ, ପରମାଣୁ ଏବଂ କ୍ଷେପଣାସ୍ତ୍ର ବିପଦର ନିରାକରଣ।