ଭୁବନେଶ୍ୱର: ଅଦିନିଆ ବର୍ଷା ପାଇଁ କ୍ଷୟକ୍ଷତି ହୋଇଥିବା ଚାଷ ଲାଗି ଆବେଦନ ବର୍ତ୍ତମାନ ଦିନକ ପାଇଁ ବୃଦ୍ଧି ଘଟିଛି। ୩ ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “କାଲି ସଂଧ୍ୟା ପର୍ଯ୍ୟନ୍ତ ଚାଷୀ କ୍ଷୟକ୍ଷତି ବାବଦରେ ଅବଗତ କରାଇବେ। କୃଷି ବିଭାଗ, ବ୍ଲକ, ତହସିଲରେ ଯାଇ ବୀମା ଦାବି କରନ୍ତୁ। ଚାଷୀଙ୍କ ସହ ସରକାର ଅଛନ୍ତି, କ୍ଷତି ଆକଳନ ହେବା ସହ ସାହାଯ୍ୟ ମିଳିବ। ସରଜମିନ୍ ତଦନ୍ତ ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଫିଲ୍ଡ ପଠାଯାଇଛି। ଚାଷୀଙ୍କୁ ପ୍ରତିଶ୍ରୁତି ଦେଉଛି, ସଠିକ୍ ଆକଳନ ପରେ କ୍ଷତିପୂରଣ ମିଳିବ। ବୀମାଭୁକ୍ତ ନଥିଲେ କିପରି ସାହାଯ୍ୟ ପାଇବେ ସରକାର ଚିନ୍ତା କରୁଛନ୍ତି।”
ଅଦିନିଆ ଲଗାଣ ବର୍ଷାରେ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେବ ଜଗତସିଂହପୁର ଗସ୍ତ କରିଛନ୍ତି। ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଖେ ଲୋକଙ୍କ ସରକାର ପହଞ୍ଚିଛନ୍ତି। ତିର୍ତ୍ତୋଲ ବ୍ଲକ ଜଡ଼ତିରା ପଞ୍ଚାୟତରେ ଚାଷୀଙ୍କ ସହ ସେ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାର ପ୍ରଶାସନିକ ଅଧିକାରୀ ରହିଥିଲେ।