fbpx

ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି, ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ: ରାହୁଲ

ବୀରମିତ୍ରପୁର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ରାହୁଲ ଗାନ୍ଧୀ ଆଜି ଝାଡ଼ଖଣ୍ଡରୁ ଆସି ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ତେବେ ବୀରମିତ୍ରପୁରରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଅନ୍ୟ ନେତାମାନେ ଉପସ୍ଥିତ ରହି ରାହୁଲଙ୍କୁ ସ୍ୱାଗତ କରିଥିଲେ।

ଏହା ପରେ ବୀରମିତ୍ରପୁରରେ ଅୟୋଜିତ ସଭାରେ ରାହୁଲ ଗାନ୍ଧୀ ନିଜର ଅଭିଭାଷଣ ରଖିଥିଲେ। ଏହି ସମୟରେ ରାହୁଲ କହିଛନ୍ତି, ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ବାହାରିଛି ଏହି ଯାତ୍ରା। ଆଗାମୀ ୩ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି। ଏହା ସହ ସଭାରେ ସେ ବେକାରୀ, ଦରଦାମ ବୃଦ୍ଧି, ସରକାରୀ କମ୍ପାନୀ ଗୁଡ଼ିକର ଘରୋଇ କରଣ ଓ ସାମାଜିକ ଅନ୍ୟାୟ କଥା ଉଠାଇ ଥିଲେ।

ସୂଚନା ଥାଉକି, ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଜାବାହାଲ ରାମପାଲ ଗ୍ରାମରେ ରାହୁଲ ରାତ୍ରି ଯାପନ କରିବେ। ଏହାପରେ ଆସନ୍ତାକାଲି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ୟ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ। ସେହିପରି ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ। ତେବେ ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ତାଙ୍କ ରାତ୍ର ରହଣୀ ଆବଶକୀୟ ବ୍ୟବସ୍ଥା ହୋଇଛି। ସେଠାରେ ରାତ୍ରି ଯାପନ କରିବା ପରେ ଆସନ୍ତା ୮ ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ନରେ ରାହୁଲ ଗାନ୍ଧୀ ଛତିସଗଡ ଅଭିମୁଖେ ଯାତ୍ରା କରିବାର କାର୍ୟକ୍ରମ ରହିଛି।

Get real time updates directly on you device, subscribe now.