fbpx

‘ସୋସିଆଲ୍ ମିଡିଆର ଅପବ୍ୟହାରରୁ ସୁରକ୍ଷା ଦେବ ନୂଆ ଆଇଟି ନିୟମ’

Advertisement

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ସବୁଦୃଷ୍ଟିରୁ ଦେଶର ନାଗରିକଙ୍କ ପାଇଁ ବେଶ୍ ସୁଫଳ ଯୋଗାଇବ । ନୂଆ ନିୟମକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକ ମଧ୍ୟରେ ବିବାଦ ଥମୁନଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ନିୟମ କାହାରିକୁ ଆଦୌ କ୍ଷତି ପହଞ୍ଚାଇବ ନାହିଁ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନିମାନେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ କମ୍ପାନିମାନେ ନିୟୋଜିତ କରିବେ । ଏଥିସହ ଅଭିଯୋଗ ଦାଖଲ ପାଇଁ ଜଣେ ଓ ଅନ୍ୟଜଣେ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରିବାକୁ ହେବ । ଫଳରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପ୍ରତି ବିଶ୍ୱାସ ରଖିଥିବା କୋଟି କୋଟି ୟୁଜର୍ସଙ୍କୁ କୌଣସି ପରିସ୍ଥିତିରେ ନିଜର ଅଭିଯୋଗ ଦାଖଲ ପାଇଁ ସୁଯୋଗ ମିଳିପାରିବ ।

କେବଳ ସେତିକି ନୁହେଁ, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଏହି ନୂଆ ନିୟମ ସୁରକ୍ଷା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ନୂଆ ନିୟମକୁ ନେଇ ବିଭିନ୍ନ ମହଲରୁ ‘ବ୍ୟକ୍ତିଗତ ଗୋପନୀୟତା ଅଧିକାର’ ତଥା ରାଇଟ୍ ଟୁ ପ୍ରାଇଭେସି ପ୍ରସଙ୍ଗ ଉଠିବା ପରେ ବିବାଦ ସୃଷ୍ଟି ହୋଇଛି । ତେବେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନୂଆ ନିୟମରେ କୌଣସି ପ୍ରକାରେ କାହାରି ବ୍ୟକ୍ତିଗତ ପ୍ରସଙ୍ଗ ଓ ଗୋପନୀୟତାକୁ ଉଲ୍ଲଂଘନ କରାଯିବା ଭଳି କାରଣ ନାହିଁ । ସରକାର ଏ ଦିଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଓ ଗୁରୁତ୍ୱର ସହ ବିଚାରବିମର୍ଷ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ସପ୍ତାହରେ ସରକାର ଆଣିଥିବା ନୂଆ ନିୟମ ଅନୁସାରେ ୫୦ ମିଲିଅନ ୟୁଜର୍ସ ରହିଥିବା ସୋସିଆଲ୍ ପ୍ଲାଟଫର୍ମଗୁଡ଼ିକ ମୁଖ୍ୟ ଅଭିଯୋଗ ଶୁଣାଣି ଅଧିକାରୀ ସମେତ ନୋଡାଲ୍ ଅଫିସରଙ୍କୁ ମିଶାଇ ୩ ଜଣ ଅଧିକାରୀ ନିୟୋଜିତ କରିବାକୁ ବାଧ୍ୟତାମୂଳକ । ତେବେ ଏନେଇ ଲୋକପ୍ରିୟ ସୋସିଆଲ୍ ସାଇଟ୍ ତଥା ତ୍ୱରିତ୍ ବାର୍ତ୍ତାଳପ ସୁବିଧା ଯୋଗାଉଥିବା ହ୍ୱାଟସଅପ୍ କମ୍ପାନି ତୀବ୍ର ବିରୋଧ କରିଛି । ନୂଆ ନିୟମ ବିରୋଧରେ କୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଛି କମ୍ପାନି ।

Get real time updates directly on you device, subscribe now.