ମୁମ୍ବାଇ: ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭାଜପାର ଦେବେନ୍ଦ୍ର ଫଡନବିସ । ରାଜ୍ୟରେ ମହାୟୁତି ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ସମାରୋହରେ ବଡ଼ ଧରଣର ଚୋରୀ ହୋଇଛି । ସୁନା ଚେନ୍, ମୋବାଇଲ, ଟଙ୍କା ଭଳି ମୂଲ୍ୟବାନ ଜିନିଷର ଆନୁମାନିକ ୧୨ ଲକ୍ଷ ଟଙ୍କାର ଚୋରୀ ହୋଇଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି । ସାଉଥ୍ ମୁମ୍ବାଇ ଆଜାଦ ମୈଦାନରେ ଆୟୋଜିତ ସମାରୋହରେ ହୋଇଥିବା ଚୋରୀ ନେଇ ଥାନାରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି ।
ମହାୟୁତି ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ବଲିଉଡ୍ ଅଭିନେତା ଏଥିରେ ସାମିଲ ହୋଇଥିଲେ । ସେମାନଙ୍କ ସୁରକ୍ଷାରେ ୪୦୦୦ ପୋଲିସ ସଭାସ୍ଥଳରେ ମୁତୟନ କରାଯାଇଥିଲା । ଗେଟ ନମ୍ବର ୨ରେ କଟକଣା ବେଶୀ ନ ଥିବା କାରଣରୁ ଦୁର୍ବୃତ୍ତ ସେହିଠାରୁ ଲୋକଙ୍କ ଚେନ୍, ପର୍ସ ଏବଂ ଫୋନ୍ ଚୋରୀ କରି ନେଇଥିବା ସନ୍ଦେହ କରାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ସ୍ଥାନୀୟ ପୋଲିସ ଏବଂ କ୍ରାଇମ୍ ବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଏ ନେଇ କାହାରିକୁ ଆରେଷ୍ଟ କରାଯାଇ ନାହିଁ ।