fbpx

ITRକୁ ନେଇ ସରକାରଙ୍କ ବଡ଼ ନିର୍ଦ୍ଦେଶ: ଜାଣନ୍ତୁ ନୂଆ ଡେଡଲାଇନ୍

ନୂଆଦିଲ୍ଲୀ: ଆଇଟିଆର ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ସରକାର ଏହାକୁ ଆଉ ଆଗକୁ ବଢ଼ାଇ ନାହାଁନ୍ତି । ଏହାର ଅର୍ଥ, ଯଦି ଆପଣ ନିଜ ଆଇଟିଆର ପୂରଣ କରିନାହାଁନ୍ତି, ତେବେ ଆପଣଙ୍କୁ ଏବେ ଜୋରିମାନା ସହ ଏହାକୁ ଜରିମାନା ଭରିବାକୁ ପଡିବ । ଏହାରି ମଧ୍ୟରେ ସରକାର ଆଇଟିଆରର ଏକ ବଡ଼ ନିୟମରେ ପରିବର୍ତ୍ତନ କରିଛନ୍ତି । ସରକାର ଇ-ଭେରିଫାଏ ନିୟମକୁ କଡାକଡି କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଏବେ ଏପରି ଲୋକଙ୍କୁ ଇ-ଭେରିଫାଏ କରିବାକୁ କେବଳ ୩୦ ଦିନ ହିଁ ମିଳିବ ।

ନିର୍ଦ୍ଦେଶ ଅନୁସାରେ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ପରେ ଇ-ଭେରିଫିକେସନ୍ ବା ଆଇଟିଆର-ଭିର ହାର୍ଡ କପି ଜମା କରିବାର ସମୟସୀମାକୁ ବର୍ତ୍ତମାନର ୧୨୦ଦିନରୁ ୩୦ ଦିନ କରିଛି ଆୟକର ବିଭାଗ, ଯାହାକି ଅଗଷ୍ଟ ୧ରୁ ଲାଗୁ ହୋଇଛି । ଜୁଲାଇ ୨୯ ରେ ଏକ ବିଜ୍ଞପ୍ତି ଜାରି କରି ସମୟସୀମା ପରିବର୍ତ୍ତନ କରିବାକୁ ବିଭାଗ ଘୋଷଣା କରିଥିଲା ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷ (ମୂଲ୍ୟାଙ୍କନ ବର୍ଷ ୨୦୨୧-୨୨) ପାଇଁ ଏପର୍ୟ୍ୟନ୍ତ ତିନି କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଦୈନିକ ଦାଖଲ ହେବାକୁ ଥିବା ଆୟକର ରିଟର୍ଣ୍ଣ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ମନ୍ତ୍ରଣାଳୟ ଟିକସଦାତାମାନଙ୍କୁ ମଧ୍ୟ କହିଛି ଯେଉଁମାନେ ଏପର୍ୟ୍ୟନ୍ତ ଆଇଟିଆର୍ ଦାଖଲ କରିନାହାଁନ୍ତି ସେମାନେ ତୁରନ୍ତ କରିନିଅନ୍ତୁ ।

ଆୟକର ବିଭାଗ ଇ-ମେଲ ଏବଂ ଏସଏମଏସ ପଠାଇବା ବ୍ୟତୀତ ମିଡିଆ ଅଭିଯାନ ମାଧ୍ୟମରେ ଠିକ ସମୟରେ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଟିକସଦାତାଙ୍କୁ ଉତ୍ସାହିତ କରୁଛି । ବିଭାଗ ଟିକସଦାତାମାନଙ୍କୁ ଅନୁରୋଧ କରିଛି ଯେଉଁମାନେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ଶେଷ ମୁହୂର୍ତ୍ତର ଭିଡକୁ ଏଡ଼ାଇବା ପାଇଁ ତୁରନ୍ତ ଆଇଟିଆର୍ ଦାଖଲ କରନ୍ତୁ ।

Get real time updates directly on you device, subscribe now.