ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ବଢିବାରେ ଲାଗିଛି। ହିନ୍ଦୁ କର୍ମଚାରୀଙ୍କୁ ନିଶାଣ କରି ଆତଙ୍କବାଦୀ ହତ୍ୟା କରୁଛନ୍ତି। ଏଥିରେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି। ଏହା ମଧ୍ୟରେ ଶ୍ରୀନଗରରେ କାର୍ୟ୍ୟରତ ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ସୁରକ୍ଷିତ ସ୍ଥାନକୁ ବଦଳି କରାଯାଇଛି। ଗୃହ ମନ୍ତ୍ରୀ ଅମିତ୍ ଶାହ କାଶ୍ମୀରୀ ପଣ୍ଡିତ ସମୁଦାୟ ଏବଂ ପ୍ରବାସୀ ଶ୍ରମିକଙ୍କୁ ନିଶାଣ କରି ହେଉଥିବା ହମଲାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସେ ଅଶାନ୍ତ କାଶ୍ମୀରର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଏହି ବୈଠକ ପରେ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କ ବଦଳି ଆଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ବିଶେଷ ପ୍ୟାକେଜ୍ ଆଧାରରେ କାର୍ୟ୍ୟରତ କାଶ୍ମୀରୀ ପଣ୍ଡିତ ସଂପ୍ରତି ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂକୁ ନେଇ ଭୟରେ ଅଛନ୍ତି। ସେମାନେ ବ୍ୟାପକ ମାତ୍ରାରେ ଘାଟିରୁ ପଳାୟନ କରିବାର ଧମକ ଦେଇ ପ୍ରଦର୍ଶନ କରୁଛନ୍ତି। ବଡଗାମ ଜିଲ୍ଲାର ଚଦୁରା ଅଞ୍ଚଳରେ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ବିଭିନ୍ନ ସ୍ଥାନରେ ପାଖାପାଖି ୬୦୦୦ କର୍ମଚାରୀଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ କରାଯାଉଛି। ସେମାନେ ଘାଟି ବାହାରକୁ ବଦଳି କରିବାକୁ ଦାବି କରିଛନ୍ତି।
ଗୁରୁବାର କାଶ୍ମୀରରେ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଜଣେ ଇଟା ଭାଟିରେ କାମ କରୁଥିବା ଶ୍ରମିକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଏ ପର୍ୟ୍ୟନ୍ତ ମେ ୧ରୁ ଆତଙ୍କବାଦୀ ନଅ ଜଣଙ୍କୁ ହତ୍ୟା କରିଛନ୍ତି। ପୋଲିସ କର୍ମୀଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ବିଶେଷ କରି ଏହି କିଛି ଦିନ ହେବ ଘାଟିରେ ଆତଙ୍କବାଦୀଙ୍କ ଉତ୍ପାତ ବଢିବାରେ ଲାଗିଛି।