fbpx

ଜ୍ୟାକ ଡୋର୍ସିଙ୍କ ବିସ୍ଫୋରକ ବୟାନ: କଥା ନ ମାନିଲେ ଟ୍ୱିଟରକୁ ବନ୍ଦ କରିଦେବାକୁ ଧମକ ଦେଇଥିଲେ ଭାରତ ସରକାର, ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨୦୨୧ ମସିହା ନଭେମ୍ବର ମାସରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସିଇଓ ପଦରୁ ଜ୍ୟାକ ଡୋର୍ସି ଇସ୍ତଫା ଦେଇଥିଲେ । ତେବେ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି । ନିକଟରେ ଏକ ୟୁଟ୍ୟୁବ୍ ସାକ୍ଷାତକାର ଅବସରରେ ଜ୍ୟାକ ଭାରତକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଭାରତ ସରକାରଙ୍କ ତରଫରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ସେ ବୟାନ ଦେଇଛନ୍ତି ।

ଡୋର୍ସି କହିଛନ୍ତି, କୃଷକ ଆନ୍ଦୋଳନ ସମୟରେ ଟ୍ୱିଟରକୁ ବନ୍ଦ କରିଦିଆଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଧମକ ମିଳିଥିଲା । ଟ୍ୱିଟର ନିକଟରେ କେନ୍ଦ୍ର ସରକାର ଅନେକ ଦାବି ରଖିଥିଲେ । କେନ୍ଦ୍ର ସରକାରଙ୍କୁ ସମଲୋଚନା କରୁଥିବା କିଛି ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବାକୁ କୁହାଯାଇଥିଲା । ସରକାରଙ୍କ କଥା ନ ମାନିଲେ ଟ୍ୱିଟରକୁ ଭାରତରେ ବନ୍ଦ କରିଦିଆଯିବ, କର୍ମଚାରୀଙ୍କ ଘରେ ରେଡ୍, ଅଫିସ ବନ୍ଦ କରିଦିଆଯିବ ବୋଲି କୁହାଯାଇଥିଲା ।

ତେବେ ଡୋର୍ସିଙ୍କ ଏହି ବୟାନକୁ ଖାରଜ କରିଛନ୍ତି ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ସେ କହିଛନ୍ତି, ଟ୍ୱିଟରର ଅଫିସରେ କେବେ ବି ରେଡ୍ ମରାଯାଇ ନଥିଲା କି କାହାକୁ ଗିରଫ ବି କରାଯାଇ ନଥିଲା । ୨୦୨୦ରୁ ୨୦୨୨ ମଧ୍ୟରେ ଟ୍ୱିଟର କ୍ରମାଗତ ଭାବେ ନିୟମର ଉଲ୍ଲଂଘନ କରିଥିଲା । ଭାରତ ଏକ ସାର୍ବଭୌମତ୍ୱ ଦେଶ । ଏହି ଦେଶରେ କାର୍ଯ୍ୟ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ନିୟମ ପାଳନ କରିବା ଉଚିତ । ଜ୍ୟାକଙ୍କ ସମୟରେ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟକୁ ହଟାଇବା ଟ୍ୱିଟର ପାଇଁ ସମସ୍ୟା ସୃଷ୍ଟି କରିଥିଲା । ତେବେ ଜ୍ୟାକଙ୍କ ଏହି ବୟାନ କେତେଦୂର ସତ ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.