ପୁରୀ: ଦୂର୍ଗାପୂଜା ଓ ଦଶହରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର ହୋଇଉଠିଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପାରମ୍ପରୀକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯାଉଛି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବାପରେ ଭିତର ରତ୍ନ ଭଣ୍ଡାରରୁ ସ୍ୱର୍ଣ୍ଣ ଓ ରତ୍ନ ଅଳଙ୍କାର ଅଣାଯାଇ ସେବକମାନେ ଠାକୁରମାନଙ୍କୁ ସୁନାବେଶରେ ସଜାଉଛନ୍ତି । ଏହି ଅବସରରେ ରତ୍ନସଂହାସନ ନିକଟରେ ହଳ, ମୂଷଳ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆଦି ଶ୍ରୀଜୀଉମାନଙ୍କର ଆୟୂଧ ସବୁକୁ ପୂଜା କରାଯିବାର ପରମ୍ପରା ରହିଛି । ଆକର୍ଷଣୀୟ ରାଜାଧିରାଜବେଶ ଦର୍ଶନ କରିବା ପାଇଁ ଆଜି ସକାଳୁ ଶ୍ରୀମନ୍ଦିରରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶ ସହ ଆୟୁଧ ଧାରଣ କରିବେ । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ତେବେ ବିଜୟା ଦଶମୀରେ ହୁଏ ମହାପ୍ରଭୁଙ୍କ ସୁନାବେଶ । ଦଶହରାରେ ରାବଣ ବଦ୍ଧ କରି ସତ୍ୟର ଜୟ କରିଥିଲେ ଶ୍ରୀରାମ । ଏହି ବେଶ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ଯାଏଁ ଅପରାହ୍ନ ପ୍ରାୟ ୫ ଟା ପର୍ଯ୍ୟନ୍ତ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି । ଆସନ୍ତାକାଲି ଏକାଦଶୀ ତିଥିରେ ପୁରୀରେ ପ୍ରସିଦ୍ଧ ଗୋଷାଣୀ ଯାତ୍ରା ଆୟୋଜିତ ହେବାକୁ ଥିବାରୁ ଏଥିଲାଗି ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।