ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ । ବିରଜା ହାଟକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି । ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ହାଟ । ପୁରୁଣା ସ୍ଥାନକୁ ଫେରିବା ପାଇଁ ଦାବି କରିଥିଲେ ଚାଷୀ ଓ ବ୍ୟବସାୟୀ । ବିରଜା ହାଟ ସ୍ଥାନାନ୍ତରକୁ ନେଇ ଲାଗିରହିଥିଲା ଅସନ୍ତୋଷ । ବିରଜା ପ୍ରକଳ୍ପ ପାଇଁ ୨ଶହ ବର୍ଷ ପୁରୁଣା ହାଟକୁ ଗତ ଜାନୁଆରୀରରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା । ଫଳରେ ଯେଉଁଚାଷୀମାନେ ସେମାନଙ୍କ ଅମଳ ପରିବା ବିକ୍ରି କରିବାକୁ ଚାହୁଁଥିଲେ, ସେମାନେ ଅନେକ ସମସ୍ୟା ଭୋଗୁଥିଲେ ।
ତେଣୁ ପୂର୍ବ ସ୍ଥାନକୁ ହାଟ ଉଠାଇ ନେବାକୁ ଦାବି ହୋଇ ଆସୁଥିଲା । କିନ୍ତୁ ବିଜେଡି ସରକାର ପ୍ରକଳ୍ପ ନାଁରେ ପୁରୁଣା ସ୍ଥାନକୁ ହାଟ ଉଠାଇବାକୁ ରାଜି ନ ଥିଲେ । ଏବେ ବିଜେପି ସରକାର ନିକଟରେ ଦାବି ହେବାରୁ ଲୋକଙ୍କ ସୁବିଧା ପାଇଁ ପୁରୁଣା ଜାଗାକୁ ହାଟ ନେବାକୁ ନିଷ୍ପତ୍ତି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଗତ ମାସ ବିରଜା ହାଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ସାମୟିକ ସମୟ ପାଇଁ ହାଟ ବନ୍ଦ ହୋଇଥିଲା ।