fbpx

Record Alert; IPLରେ ଇତିହାସ ଲେଖିଲେ ଯଶସ୍ୱୀ: ହାସଲ କଲେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ

Advertisement

ନୂଆଦିଲ୍ଲୀ: କୋଲକାତା ବିପକ୍ଷ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ରାଜସ୍ଥାନ ରୋୟଲ୍ସ । କୋଲକାତାର ୧୫୦ ରନର ଟାର୍ଗେଟକୁ ମାତ୍ର ୧୩.୧ ଓଭରରେ ହାତେଇ ନେଇଛି ରାଜସ୍ଥାନ । ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ବିସ୍ପୋରକ ଇନିଂସ ରାଜସ୍ଥାନକୁ ପ୍ଲେ-ଅଫ ପାଇଁ ଆଉ ଏକ ପାଦ ଆଗକୁ ନେଇଛି । ଏହି ମ୍ୟାଚରେ ସେ ଏକ ଅଲଗା ଅନ୍ଦାଜରେ ବ୍ୟାଟିଂ କରୁଥିବାର ଦେଖାଯାଇଛି । ମାତ୍ର ୪୭ ବଲ ଖେଳି ୯୮ ରନ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଏହାସହ ଆଇପିଏଲ ଇତିହାସରେ ସେ ଲେଖିଛନ୍ତି ନୂଆ ଇତିହାସ ।

୧୫୦ ରନ ଲକ୍ଷ୍ୟର ପିଛା କରି ରାଜସ୍ଥାନ ପକ୍ଷରୁ ମଇଦାନକୁ ଆସିଥିଲେ ଦୁଇ ଷ୍ଟାର ଓପନର ଜୋସ ବଟଲର ଏବଂ ଯଶସ୍ୱୀ ଜଏସ୍ୱାଲ । ବଟଲର ଖାତା ଖୋଲିବା ପୂର୍ବରୁ ରନ ଅଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । କିନ୍ତୁ ଏଇଠୁ ଆରମ୍ଭ ହୋଇଥିଲା ଯଶସ୍ୱୀଙ୍କ ମେଗା ଶୋ’ । ଦିନେ ଗୁପଚୁପ ବିକି ପେଟ ପୋଷୁଥିବା ଜଏସ୍ୱାଲ ପାଲଟି ଯାଇଛନ୍ତି ଆଇପିଏଲ ଇତହାସର ଆଉ ଏକ ସ୍ୱର୍ଣ୍ଣିମ ପୃଷ୍ଠା । ମାତ୍ର ୧୩ ବଲରୁ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହା ସମ୍ପୂର୍ଣ୍ଣ ଆଇପିଏଲ ଇତିହାସରେ ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନ କରି ପାରି ନାହାନ୍ତି । କ୍ରିସ ଗେଲ, ଏମ.ଏସ ଧୋନୀ, ଏବି ଡିଭିଲିୟର୍ସ, ୟୁବରାଜ ସିଂହ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳି ଏହି ରେକର୍ଡ କରିବାରେ ଅସମର୍ତ ହୋଇଥିବା ବେଳେ ଯଶସ୍ୱୀ ଜଏସ୍ୱାଲ ଏହି ଇତିହାସ ଲେଖିଛନ୍ତି ।

ତେବେ ଯଶସ୍ୱୀଙ୍କ ପୂର୍ବରୁ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କେ.ଏଲ ରାହୁଲଙ୍କ ନାମରେ ରହିଥିଲା । ୨୦୧୮ ମସିହାରେ ମାତ୍ର ୧୪ ବଲରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ପ୍ୟାଟ କମିନ୍ସ ମଧ୍ୟ ଏହି ରେକର୍ହର ସମକକ୍ଷା ହୋଇଥିଲେ । ୨୦୨୨ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ମଧ୍ୟ ୧୪ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ଯଶସ୍ୱୀ ଜଏସ୍ୱାଲ ଏହି ଦୁଇ ଖେଳାଳିଙ୍କୁ ଅତିକ୍ରମ କରି ମାତ୍ର ୧୩ ବଲରେ ଏହି କାରନାମା କରି ଦେଖାଇଛନ୍ତି ।

ରାଜସ୍ଥାନକୁ ବିଜୟ ଦିଗରେ ଆଗେଇ ନେବା ବେଳେ ଯଶସ୍ୱୀ ଜଏସ୍ୱାଲ ମାତ୍ର ୪୭ ବଲରୁ ୯୮ ରନର ପାଳି ଖେଳିଛନ୍ତି । କିନ୍ତୁ ୨୦୮ ଷ୍ଟାଇକ ରେଟ ସହିତ ଖେଳିଥିଲେ ମଧ୍ୟ ଚଳିତ ସିଜନର ଦ୍ୱିତୀୟ ଶତକରୁ ସେ ମାତ୍ର ୨ ରନ ଦୂରରେ ରହି ଯାଇଛନ୍ତି । ଏହି ବିସ୍ପୋରକ ଇନିଂସରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି । ତାଙ୍କ ବ୍ୟତୀତ ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ୨୯ ବଳରୁ ୨ଟି ଚୌକା ଏବଂ ୫ଟି ଛକା ସହ ୪୮ ରନର ଏକ ଦମଦାର ଇନିଂସ ଖେଳିଛନ୍ତି ।

Get real time updates directly on you device, subscribe now.