fbpx

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଜାଭେରିଆ ଖାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ। ୩୫ ବର୍ଷୀୟ ଜାଭେରିଆଙ୍କ ଏହି ନିଷ୍ପତିକୁ ନେଇ କ୍ରିକେଟ ଜଗତରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ସମ୍ପର୍କରେ ଜାଭେରିଆ ଏକ ଭାବବିହ୍ୱଳ ବିବୃତି ଜାରି କରିଛନ୍ତି। ଏଥିରେ ଜାଭେରିଆ କହିଛନ୍ତି, “ଖୁସି ଓ ଦୁଃଖ ରହିଥିଲା। କିନ୍ତୁ ସର୍ବୋପରି ମହାନ ଗର୍ବ ମୋତେ ୧୫ ବର୍ଷ ଧରି ଆଗକୁ ନେଇଥିଲା। ମୋ କ୍ରିକେଟ ଯାତ୍ରାରେ ଅନେକ ଘାତପ୍ରତିଘାତ ଆସିଥିଲେ ବି ପାକିସ୍ତାନ ଜର୍ସୀ ପରିନ୍ଧାନ କରିବାର ଅନୁଭୂତି ସବୁଠାରୁ ଉପରେ ରହିଥିଲା। ମୁଁ ଯେଉଁ ଜିନିଷକୁ ଅଧିକ ଭଲ ପାଉଥିଲି, ସେଇଥିରେ ଜୀବନ ବିତାଇବାକୁ ସୁଯୋଗ ପାଇଥିବାରୁ ଭାଗ୍ୟବାନ ମଣୁଛି। ଆଗକୁ ମଧ୍ୟ ଏହା ଜାରି ରଖିବି।”

ସୂଚନା ଥାଉକି, କ୍ରିକେଟ ଜଗତରେ ବରିଷ୍ଠ ବ୍ୟାଟର ଜାଭେରିଆ ଖାନ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଜାଭେରିଆ ପାକିସ୍ତାନ ପାଇଁ ୨୨୮ଟି ଦିନିକିଆ ବ୍ୟାଚ୍‌ ଖେଳି ୪୯୦୩ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ରହିଛି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୮ଟି ୱିକେଟ ମଧ୍ୟ ନେଇଥିଲେ। ପାକିସ୍ତାନ ମହିଳା କ୍ରିକେଟରେ ସର୍ବାଧିକ ଦିନିକିଆ ଓ ଟି-୨୦ ରନ ସ୍କୋର କରିବା ତାଲିକାରେ ଜାଭେରିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିସମା ମାରୁଫଙ୍କ ବ୍ୟତୀତ ସେ ଏକମାତ୍ର କ୍ରିକେଟର ଯିଏ ଦିନିକିଆ ଓ ଟି-୨୦ରେ ୨ହଜାରରୁ ଅଧିକ ରନ କରିଛନ୍ତି। ତେବେ ୧୭ଟି ଦିନିକିଆରେ ପାକିସ୍ତାନର ନେତୃତ୍ୱ ନେଇଥିବା ଜାଭେରିଆ ଶେଷଥର ପାଇଁ ୨୦୨୩ ମାର୍ଚ୍ଚରେ ପାକିସ୍ତାନ ପକ୍ଷରୁ କୌଣସି ଟି-୨୦ ମ୍ୟାଚ ଖେଳିଥିଲେ।

ଏଠାରେ କହି ରଖୁ ଯେ, ଜାଭେରିଆ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। କିନ୍ତୁ ସେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଖେଳା ଯାଉଥିବା ଘରୋଇ ଲିଗ ମ୍ୟାଚ୍‌ ଖେଳିବେ।

 

 

Get real time updates directly on you device, subscribe now.