ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର ଅଳଙ୍କାର, ଭିତରେ ମିଳିଲା କେଶର ଓ ହଳଦୀ

ବ୍ୟାଙ୍କ ଲୁଟର ପର୍ଦ୍ଦାଫାଶ, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

କର୍ଣ୍ଣାଟକ: ବ୍ୟାଙ୍କରେ ବଡଧରଣର ଲୁଟ, 53 କୋଟି ଟଙ୍କାର ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର। ଲକର ପାଖରୁ ମିଳିଲା କେସର ଆଉ ହଳଦୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଥିବା ଦେଶର ସବୁଠାରୁ ବଡ ବ୍ୟାଙ୍କ କାନାରା ବ୍ୟାଙ୍କରେ।

ମେ 25 ତାରିଖରେ ମଙ୍ଗୁଳି ସହରରେ ଅବସ୍ଥିତ କାନାରା ବ୍ୟାଙ୍କର ଏକ ଶାଖାରୁ ପ୍ରାୟ 53 କୋଟି ଟଙ୍କାର ସୁନା ଅଳଙ୍କାର ଗାୟବ ହୋଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ଲକର ପାଖରେ କେସର, ହଳଦୀ ଭଳି ଜିନିଷ ମଧ୍ୟ ଉଦ୍ଧାର କରାଯାଇଥିଲା।

ଏହାକୁ ଦେଖି ପ୍ରଥମେ ଲାଗୁଥିଲା ଯେ ଏହା କୌଣସି ତାନ୍ତ୍ରିକ କାର୍ଯ୍ୟକଳାପ ସହିତ ଜଡିତ ମାମଲା, କିନ୍ତୁ ତଦନ୍ତ ହେବାରୁ ସମ୍ପୂର୍ଣ୍ଣ ରହସ୍ୟ ବାହାରକୁ ଆସିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ପୂର୍ବତନ ବ୍ୟାଙ୍କ ପରିଚାଳକ ବିଜୟକୁମାର ମିରିଆଲା, ତାଙ୍କର ଦୁଇ ସହଯୋଗୀ – ଏକ ଘରୋଇ କମ୍ପାନୀରେ କାମ କରୁଥିବା ଚନ୍ଦ୍ରଶେଖର ନେରେଲା ଏବଂ ସୁନୀଲ ନରସିଂହାଲୁ ମୋକା ଅନ୍ତର୍ଭୁକ୍ତ।

ଯୋଜନାଟି ବ୍ୟାଙ୍କରେ ପୋଷ୍ଟିଂ ସମୟରେ ହିଁ କରାଯାଇଥିଲା: ତଦନ୍ତରୁ ଜଣାପଡ଼ିଲା ଯେ, ଏହା ଏକ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ମିରିଆଲା ନିଜ ପୋଷ୍ଟିଂ ସମୟରେ ହିଁ ଏହି ଡକାୟତିର ପ୍ଲାନ କରିଥିଲେ।

ମାର୍ଚ୍ଚ-ଏପ୍ରିଲରେ ହିଁ, ସେ ତାଙ୍କ ସହଯୋଗୀମାନଙ୍କୁ ବ୍ୟାଙ୍କର ଚାବି ହସ୍ତାନ୍ତର କରି ଡୁପ୍ଲିକେଟ ଚାବି ବ୍ୟବହାର କରି ବ୍ୟାଙ୍କରେ ପ୍ରବେଶ କରିବାକୁ ପ୍ରସ୍ତୁତି କରିଥିଲେ। ମେ 9 ରେ ତାଙ୍କର ଟ୍ରାନ୍ସଫର ପରେ, ସେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ଡକାୟତିର ତାରିଖ ମେ ୨୩ ବୋଲି ସ୍ଥିର କରାଯାଇଥିଲା, କାରଣ ସେହି ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ IPL ମ୍ୟାଚ୍ ଥିଲା।

ଯେଉଁଥିପାଇଁ ଅପରାଧୀମାନେ ଭାବିଥିଲେ ଯେ ଉତ୍ସବ ପାଳନରେ ବୁଡ଼ି ରହିଥିବା ଲୋକମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖିପାରିବେ ନାହିଁ। କିନ୍ତୁ RCB ହାରିଯିବାରୁ, ସେମାନେ ଡକାୟତିକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିଲେ।

ଡକାୟତି କରିବା ପରେ, ଅଭିଯୁକ୍ତମାନେ ବ୍ୟାଙ୍କ ଭିତରେ କେସର ଏବଂ ହଳଦୀ ଭଳି ଜିନିଷ ସେଠାରେ ଛାଡି ତଦନ୍ତକାରୀଙ୍କୁ ଭାବିବାକୁ ବାଧ୍ୟ କରିଥିଲେ ଯେ ଏହା ଏକ ତାନ୍ତ୍ରିକ କାର୍ଯ୍ୟ ହୋଇପାରେ। କିନ୍ତୁ ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ ବିସ୍ତୃତ ତଦନ୍ତ ପରେ ସତ ପାଖରେ ପହଞ୍ଚିଥିଲେ।

ସୁନା ଅଳଙ୍କାର ଜବତ: ପୋଲିସ ଡକାୟତିରେ ବ୍ୟବହୃତ ଦୁଇଟି ଗାଡ଼ି, 10.5 କିଲୋ ସୁନା ଅଳଙ୍କାର ଏବଂ ସୁନା ବିସ୍କୁଟ ଜବତ କରିଛି। କେବଳ ଏତିକି ନୁହେଁ, ଅପରାଧୀମାନେ ସେମାନଙ୍କର ଦୁଇଚକିଆ ଯାନଗୁଡ଼ିକୁ ଏକ ଟ୍ରକ୍ ମାଧ୍ୟମରେ ଫିଲ୍ମୀ ଷ୍ଟାଇଲରେ ଅପରାଧ ସ୍ଥଳକୁ ନେଇଯାଇଥିଲେ ଯାହା ଫଳରେ ସେମାନଙ୍କ ଯାନର କୌଣସି ଚିହ୍ନ ମିଳିପାରିବ ନାହିଁ।

ବ୍ୟାଙ୍କ ବ୍ୟବସ୍ଥା ସହିତ ହେରଫେର: ସେମାନେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସହିତ ମଧ୍ୟ ହେରଫେର ମଧ୍ୟ କରିଥିଲେ। ଯଥା, ସିସିଟିଭି କ୍ୟାମେରାର ଦିଗ ପରିବର୍ତ୍ତନ କରିବା, ହାଇମାଷ୍ଟ ଲାଇଟିଂର କେବୁଲ କାଟିବା ଏବଂ ନେଟୱାର୍କ ଭିଡିଓ ରେକର୍ଡର ମଧ୍ୟ ନିଜ ସହିତ ନେଇଯାଇଥିଲେ।

ପୋଲିସର ଆଠଟି ଦଳ ଗଠନ: ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ ପାଇଁ ପୋଲିସ ଆଠଟି ଦଳ ଗଠନ କରିଥିଲା। ଏକ ସନ୍ଦିଗ୍ଧ କାରର ଗତିବିଧି ଆଧାରରେ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଯେତେବେଳେ ଜଣାପଡିଲା ଯେ କାରଟି ମିରିଆଲାଙ୍କ ନାମରେ ଅଛି, ତାଙ୍କୁ ପଚରାଉଚରା କରାଯିବାରୁ, ସେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ।