ରାଞ୍ଚି: ଯୌନ ଅପରାଧ ମାମଲାରେ ସାକ୍ଷ୍ୟ ଅଭାବରେ ବହୁ ସମୟରେ ଅପରାଧୀ ଖସିଯାଏ । ଏହାର ସବୁଠାରୁ ବଡ କାରଣ ବୈଜ୍ଞାନିକ ପ୍ରମାଣ ନ ମିଳିବା । ଏହି ସମସ୍ୟାର ସାମ୍ନା କରିବା ପାଇଁ ଏବେ ଝାରଖଣ୍ଡ ପୋଲିସର ସ୍ପେସିଆଲ ମହିଳା ଟିମ୍ର ସ୍କ୍ୱାଡ ନିର୍ମାଣ କରାଯାଉଛି ଯେଉଁମାନେ ସବୁ ଜିଲ୍ଲାରେ ପୋଷ୍ଟିଂ ହେବେ । ଏହି ମହିଳା ସ୍କ୍ୱାଡ କୌଣସି ବି ପ୍ରକାରର ଯୌନ ଅପରାଧ ମାମଲାର ତଦାରଖ କରିବେ ।
ନୂଆ ଆଇନ ଲାଗୁ ହେବା ପରେ ବୈଜ୍ଞାନିକ ପ୍ରମାଣ ବିନା କୌଣସି ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ ସାବ୍ୟସ୍ତ ହୋଇପାରିବ ନାହିଁ ଯାହାକୁ ନେଇ ଝାରଖଣ୍ଡ ପୋଲିସ ବେଶ୍ ଗମ୍ଭୀର ହୋଇଛି । ଏପରି ସ୍ଥିତିରେ ଝାରଖଣ୍ଡ ପୋଲିସ ମୁଖ୍ୟାଳୟ ଦ୍ୱାରା ରାଜ୍ୟର ୧୫୦ ମହିଳା ପୋଲିସ କର୍ମୀଙ୍କ ଚୟନ କରାଯାଇଛି ଯେଉଁମାନଙ୍କ ସ୍ପେସାଲ ଟ୍ରେନିଂ ବି ଆରମ୍ଭ କରିଦିଆଯାଇଛି । ତେବେ ୩୪୩ ଜଣ ମହିଳା ପୋଲିସ ଏହି ସ୍କ୍ୱାଡରେ ଭର୍ତ୍ତି ହେବା ପାଇଁ ଫର୍ମ ଭରିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ଚୟନ କରାଯାଇଛି ଯେଉଁମାନଙ୍କୁ ଏବେ ଟ୍ରେନିଂ ଦିଆଯାଉଛି ।
ଏହି ବିଷୟରେ ସୂଚନା ଦେଇ ଝାରଖଣ୍ଡ ପୋଲିସ ଡିଜିପି ଅଜୟ କୁମାର ସିଂହ କହିଛନ୍ତି ମହିଳା ପୋଲିସ କର୍ମୀଙ୍କୁ ୪ ପ୍ରକାରର ତାଲିମ ଦିଆଯାଉଛି । ଯେଉଁଥିରେ ଆଇନ, ମନୋବିଜ୍ଞାନ ମେଡିକାଲ, ଓ ଫରେନସିକ୍ ତାଲିମ ସାମିଲ ରହିଛି । ୨୮ ଦିନର ତାଲିମ ପରେ ଏହି ସ୍ପେସିଆଲ ସ୍କ୍ୱାଡ ପ୍ରତି ଜିଲ୍ଲାର ମହିଳା ଥାନାରେ ନିୟୋଜିତ ହେବେ ଓ ଜିଲ୍ଲାରେ କୌଣସି ପ୍ରକାର ଯୌନ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିଲେ ଏହି ଟିମ୍ ସେମାନଙ୍କ ଅନୁସନ୍ଧାନ କରିବେ । ଏହି ଟିମ୍ର ଅଂଶ ହେବାକୁ ଯାଉଥିବା ସ୍ପେସିଆଲ ପୋଲିସ କର୍ମୀଙ୍କ କାନ୍ଧ ଉପରେ ଯୌନ ଅପରାଧ ମାମଲା ସହ ଜଡିତ ସାକ୍ଷ୍ୟର ସଂକଳନ କରିବା ଓ ଯାଞ୍ଚରେ ସହଯୋଗ କରିବା କାର୍ଯ୍ୟ ନ୍ୟସ୍ତ ରହିବ ।
ଏହି କ୍ରମରେ ଏହି ମହିଳା ପୋଲିସକର୍ମୀଙ୍କ ଟ୍ରେନିଂ ବି ସ୍ୱତନ୍ତ୍ର ରହିଛି । ମନୋବୈଜ୍ଞାନିକଙ୍କ ସହ ମେଡିକାଲ ପାଇଁ ସଦର ହସ୍ପିଟାଲର ଡାକ୍ତରମାନଙ୍କୁ ମଧ୍ୟ ଏମାନଙ୍କ ସହ ଯୋଡା ଯାଇଛି । ଏହା ବ୍ୟତିତ ଫରେନସିକ୍ ଟିମ୍ ଓ ଆଇନ ବିଷାରଦମାନେ ମଧ୍ୟ ଏହି ଟିମ୍କୁ ବିଶେଷ ଭାବରେ ଟ୍ରେନିଂ ଦେଉଛନ୍ତି ।