fbpx

କନିଷ୍ଠ ଶିକ୍ଷକ ନିଯୁକ୍ତି: ଆସିଲା ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଏଥିସହିତ ଉକ୍ତ ନିଯୁକ୍ତି ଉପରେ ରହିତାଦେଶ ଜାରି କରାଯାଇଥିଲା । ଏଥିସହିତ ଧାର୍ଯ୍ୟ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯାଇପାରିବ ବୋଲି ହାଇକୋର୍ଟ କହିଥିଲେ ।

ତେବେ ଆଜି ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଏଥିସହିତ ଅନ୍ତରୀଣ ଆଦେଶକୁ ବଳବତ୍ତର ରଖିଛନ୍ତି । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଏହି ମାମଲାର ଶୁଣାଣି କରି ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ୧୫ ତାରିଖରେ କନିଷ୍ଠ ଶିକ୍ଷକ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଥିଲା । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟରେ ଉକ୍ତ ରେଜଲ୍ଟ ଜାରି କରାଯାଇଥିଲା ।

ତେବେ ଫଳାଫଳ ପ୍ରକାଶକୁ ନେଇ ବହୁ ଆଶାୟୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ମେରିଟ୍ ଲିଷ୍ଟରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ଛାତ୍ରଛାତ୍ରୀମାନେ ଓସେପା ଅଫିସ ଓ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ମେରିଟ୍ ଲିଷ୍ଟ ଜାରି କରିବା ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇ ନଥିଲା । ତେଣୁ କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି ତାହା ସ୍ପଷ୍ଟ କରିବାକୁ ଆଶାୟୀମାନେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ଓସେପା ସ୍ପଷ୍ଟିକରଣ ରଖିଥିଲା ।

Get real time updates directly on you device, subscribe now.