fbpx

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା, ଜାଣନ୍ତୁ ଏହାର ସ୍ଥିତି ଓ ଗତିବିଧି କେମିତି ରହିଛି…

ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନ ରାଇଜରେ ପାଦ ଥାପିବାକୁ ଯାଉଛି ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ । ମିଶନ ଅଫ ମୁନକୁ ନେଇ ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେଉଛି । ଏହା ଚନ୍ଦ୍ରଠାରୁ ମାତ୍ର ଆଉ କିଛି କିଲୋମିଟର ଦୂରରେ ରହିଛି ।

ସେପଟେ ଲ୍ୟାଣ୍ଡିଂ ପୂର୍ବରୁ ଏହାର ଅବଗଣନା ଆରମ୍ଭ ହୋଇଯାଇଛି । ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ୟ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖା ଦେବାର ସମ୍ଭାବନା ନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯିବ । ଦୁଇ ଦିନ ପୂର୍ବରୁ ଅବତରଣର ଚୂଡ଼ାନ୍ତ ସିକ୍ୱେନ୍ସ ଲୋଡ୍ କରି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ପୂର୍ବରୁ ହାର୍ଡ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଚନ୍ଦ୍ରଯାନ-୨ ଅଭିଯାନ ଆଂଶିକ ଭାବେ ସଫଳ ହୋଇଥିଲା । ତେବେ ଏଥର ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିଛି । ସେହିପରି ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ଉତୋଳିତ ଚନ୍ଦ୍ରର ଦୂର ଭାଗର ନୂଆ ଫଟୋ ସେୟାର କରିଛି ।

ବର୍ତମାନ ଏହା ଅବତରଣ କରିବା ପାଇଁ ଯେଉଁଠାରେ ବୋଲ୍ଡର କି ଖାଲ ନଥିବ ସେଭଳି ଏକ ସୁରକ୍ଷିତ ସ୍ଥାନ ଖୋଜୁଛି । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ରହିଛି । ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ସ୍ଥିତିର ଅନୁଧ୍ୟାନ ହେବ। ଯଦି କୌଣସି ଅସୁବିଧା ଦେଖାଦିଏ ତାହେଲେ ୨୭ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ ହେବ । ଏଥିପାଇଁ ପ୍ଲାନ ବି ପ୍ରସ୍ତୁତ ହୋଇଛି ବୋଲି ଏ ନେଇ ଅହମ୍ମଦାବାଦ ଇସ୍ରୋ ସ୍ପେଶ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେସ ଦେଶାଇ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.