ଚଣ୍ଡୀଗଡ଼,୨୩ା୫: ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା କହିଛନ୍ତି, ମୋ’ ସହ ଧୋକା ହୋଇଛି । ତାଙ୍କ ପାଖରେ ଓକିଲ ନିଯୁକ୍ତି କରିବା ପାଇଁ ଟଙ୍କା ନାହିଁ। ମୁଁ ମୋ ଝିଅକୁ ଭେଟିବାକୁ ଯିବାକୁ ଚାହୁଁଥିଲି। ପୋଲିସ ମୋତେ ଦିନ ୧୨ଟାରେ ସମୟ ଦେଇଥିଲା। ଦିନ ୧୨ଟାରେ ମୁଁ ଜାଣିବାକୁ ପାଇଲି ଯେ, ଜ୍ୟୋତିକୁ ପୁଣି ଥରେ ରିମାଣ୍ଡରେ ପଠାଯାଇଛି। ପୋଲିସ ଭୁଲ ସମୟ ଦେଇ ମୋତେ ଠକିଛି। ମୋ ପାଖରେ ଫୋନ୍ ବି ନାହିଁ ବୋଲି କହିଛନ୍ତି ଜ୍ୟୋତିଙ୍କ ବାପା ।
ଯେତେବେଳେ ମୁଁ ପୋଲିସ କର୍ମଚାରୀମାନଙ୍କୁ ଜ୍ୟୋତି ବିଷୟରେ ପଚାରିଲି, ସେମାନେ ମୋତେ କହିଲେ ସେ ଗୁରୁବାର ଦିନ୧୨ଟା ପରେ ତାଙ୍କୁ କୋର୍ଟରେ ହାଜର କରିବେ। କୋର୍ଟକୁ ଆସନ୍ତୁ, ଆମେ ତୁମକୁ ଜ୍ୟୋତିଙ୍କ ସହିତ ସାକ୍ଷାତ କରାଇବୁ। ସକାଳ ୧୧ରେ ଦୁଇଜଣ ସାମ୍ବାଦିକ ମୋ ଘରକୁ ଆସି କହିଲେ ଯେ, ଜ୍ୟୋତିଙ୍କୁ ପୁଣି ଥରେ ରିମାଣ୍ଡରେ ପଠାଯାଇଛି। ସେ କୋର୍ଟରେ ନାହାନ୍ତି। ଜ୍ୟୋତିଙ୍କ ପାଇଁ ଓକିଲ ନିଯୁକ୍ତି କରିବା ବିଷୟରେ ପଚରାଯିବାରୁ ସେ କହିଲେ ମୁଁ କୌଣସି ଓକିଲଙ୍କୁ ଜାଣିନାହିଁ। ମୋ ପାଖରେ ଟଙ୍କା ମଧ୍ୟ ନାହିଁ।
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କ ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର କୋର୍ଟରେ ହାଜର କରାଯାଇଥିଲା। ସିଭିଲ ଲାଇନ ପୋଲିସ କୋର୍ଟକୁ କହିଛି ଯେ, ଅଭିଯୁକ୍ତଙ୍କ ମୋବାଇଲ ଏବଂ ଲାପଟପର ଫରେନସିକ୍ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ। ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆମ ସହିତ ଯୋଗାଯୋଗ କରିଛି। ତଦନ୍ତରେ ପ୍ରମାଣ ସଂଗ୍ରହ କରିବା ପାଇଁ ଆମକୁ ଆହୁରି ସାତ ଦିନ ରିମାଣ୍ଡ ଆବଶ୍ୟକ। ଉଭୟ ପକ୍ଷର ୪୦ ମିନିଟ୍ ଯୁକ୍ତି ଶୁଣିବା ପରେ ସିଭିଲ ଜଜ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ସୁନୀଲ କୁମାର ଜ୍ୟୋତି ମାଲହୋତ୍ରାଙ୍କୁ ଆଉ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି।
ଜ୍ୟୋତିଙ୍କୁ ବୁଧବାର ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର କୋର୍ଟରେ ହାଜର କରାଯାଇଥିଲା। ସକାଳ ପ୍ରାୟ ୯.୩୦ରେ ପୋଲିସ ଜ୍ୟୋତିଙ୍କୁ କୋର୍ଟ ପରିସରକୁ ଆଣିଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ନିର୍ମଳା କୋର୍ଟରେ ଅଭିଯୁକ୍ତଙ୍କ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଥିଲେ।
ତଦନ୍ତକାରୀ ଅଧିକାରୀ କୋର୍ଟକୁ କହିଥିଲେ ଯେ, ଜ୍ୟୋତି ମାଲହୋତ୍ରାଙ୍କ ମୋବାଇଲ ଏବଂ ଲାପଟପ୍ ତଦନ୍ତ ପାଇଁ ମଧୁବନର ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ଏହାର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ। ଜ୍ୟୋତି ପାକିସ୍ତାନ ଅପରେଟିଭ୍ ଏଜେନ୍ସି (POI) ସହିତ ସମ୍ପର୍କରେ ଥିବାର ପ୍ରମାଣ ମିଳିଛି। ତାଙ୍କ ମୋବାଇଲ୍ ଏବଂ ଲାପଟପ୍ ର ତଥ୍ୟ ପାଇବା ପରେ ତଦନ୍ତକୁ ବ୍ୟାପକ କରାଯିବ। ଏହି ତଥ୍ୟରୁ ଜ୍ୟୋତି POI ସହିତ କି ପ୍ରକାରର ସୂଚନା ସେୟାର କରିଥିଲେ ତାହା ଜଣାପଡ଼ିବ।