ଭଡ଼ାଘରେ ପ୍ରାଣ ହାରିଲେ ପ୍ରଯୋଜକ, ଏହି କାରଣ ପାଇଁ ତାଙ୍କୁ ଗ୍ରାସ କରିଥିଲା ଅବସାଦ
ସିନେ କଳାକାରଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲେ ପ୍ରଯୋଜକ । ରାଜନୀକାନ୍ତଙ୍କ 'କବାଲି'ରୁ ମିଳିଥିଲା ଲୋକପ୍ରିୟତା ।
ଗୋଆ : ତେଲୁଗୁ ଫିଲ୍ମ ପ୍ରଯୋଜକ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ (କେପି ଚୌଧୁରୀ) ଆତ୍ମହତ୍ୟା କରିଛନ୍ତି । ଗୋଆ ସ୍ଥିତ ଭଡ଼ା ଘରୁ ସୋମବାର ତାଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ‘କବାଲି’ ଫିଲ୍ମ ପ୍ରଯୋଜନା ପାଇଁ କେପି ଚୌଧୁରୀଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା । ଏହା ପୂର୍ବରୁ ୨୦୨୩ରେ ଡ୍ରଗ୍ସ ଚାଲାଣ ମାମଲାରେ ସେ ଗିରଫ ହୋଇଥିଲେ ।
ପ୍ରୋଜେକ୍ଟ ଅଭାବ ଏବଂ ଋଣଭାରରେ ବୁଡ଼ି ରହିଥିବାରୁ ସେ ଡ୍ରଗ୍ସ ବ୍ୟବସାୟ କରୁଥିଲେ । କେପି ଚୌଧୁରୀ ସେଲିବ୍ରିଟିମାନଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ସେ ଗୋଆରେ ଥିବା ଓଏଚଏମ ପବ୍ ମାଧ୍ୟମରେ ଡ୍ରଗ୍ସ ଯୋଗାଉଥିଲେ । ଗୋଆ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗିରଫ ହେବା ପରେ କେପି ଚୌଧୁରୀ ମାନସିକ ଅବସାଦରେ ଥିଲେ ଏବଂ ତାଙ୍କର ଅର୍ଥାଭାବ ଲାଗି ରହିଥିଲା ।
ଏସବୁ ସମସ୍ୟା ସତ୍ତ୍ୱେ ସେ ମନୋରଞ୍ଜନ ଦୁନିଆରେ କାମ ଜାରି ରଖିଥିଲେ । ମିଳିଥିବା ସୂଚନା ଅନୁସାରେ, ଅଞ୍ଜୁନା ଥାନା ଅନ୍ତର୍ଗତ ସାଓଲିମ୍ ଆଉଟପୋଷ୍ଟ ମାମଲାର ତଦନ୍ତ କରୁଛି । ଉତ୍ତର ଗୋଆର ଏସପି ଅକ୍ଷତ କୌଶଳ କହିଛନ୍ତି, ତଦନ୍ତ ପରେ ମାମଲା ସହ ଜଡ଼ିତ ସମସ୍ତ ସୂଚନା ଦିଆଯିବ ।