fbpx

ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍‌ର ସବୁ ଗେଟ୍‌ ଖୋଲିବକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା ପାଲଟିଥିବାବେଳେ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଉଥିବାରୁ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଛି । ବିଶେଷ କରି ମତ୍ସ୍ୟଜୀବୀ ଓ ଚାଷୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି । ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ରେମାମଲା ଚାଲିଥିଲେ ମଧ୍ୟ ଶୁଣାଣିର ନାଁ ଗନ୍ଧ ନାହିଁ । ତେବେ ଇତିମଧ୍ୟରେ ଛତିଶଗଡ଼ ସରକାର ପୁଣି ଥରେ ଓଡ଼ିଶା ଉପରେ ଦାଉ ସାଧିବା ଆରମ୍ଭ କରିଦେଇଛନ୍ତି । ଖରାଦିନେ ମହାନଦୀ ଜଳକୁ ସମ୍ପୂର୍ଣ୍ଣ ଭାବେ ଅଟକାଇ ରଖୁଥିବାବେଳେ ମୌସୁମୀ ସମୟରେ ବ୍ୟାରେଜ୍‌ଗୁଡ଼ିକର ଗେଟ୍‌ ଖୋଲି ଜଳ ଛାଡ଼ିବାକୁ ନିଷ୍ପତ୍ତି ନେଉଛନ୍ତି ।

ଚଳିତ ମାସ ୧୬ ତାରିଖରୁ ଅକ୍ଟୋବର ୧୫ ମଧ୍ୟରେ ମହାନଦୀର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି ସବୁଯାକ ଗେଟ୍‌ ଖୋଲି ଦିଆଯାଏ ତେବେ ମହାନଦୀର ତଳମୁଣ୍ଡରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ଓଡ଼ିଶାର ବିଭିନ୍ନସ୍ଥାନରେ ଜଳସ୍ତର ବୃଦ୍ଧି ପାଇବା ସହ ଫସଲ ହାନୀର ଆଶଙ୍କା ମଧ୍ୟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଛତିଶଗଡ଼ ସରକାର ବ୍ୟାରେଜ୍‌ର ସମସ୍ତ ଗେଟ୍‌କୁ ବନ୍ଦ କରି ପାଣିର ସ୍ରୋତକୁ ଅଟକାଇ ରଖିଥିବାବେଳେ ତଳମୁଣ୍ଡରେ ଓଡ଼ିଶାର ଚାଷୀ ଫସଲ ନଷ୍ଟ ସହ ସାଂଘାତିକ ଜଳାଭାବର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଆଗକୁ ବର୍ଷା ଋତୁ ଆସୁଥିବାରୁ ଗେଟ୍‌ ଖୋଲିବା ନିଷ୍ପତ୍ତି ପୁଣି ଥରେ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ । ଅନ୍ୟପକ୍ଷରେ ଛତିଶଗଡ଼ର ଏପରି ମନମୁଖୀ କାରବାରକୁ ରୋକିବା ପାଇଁ ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହାକି ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

Get real time updates directly on you device, subscribe now.