fbpx

ଆଜି ପବିତ୍ର ଅକ୍ଷୟ ତୃତୀୟା: ଚାଷୀଙ୍କୁ ମିଳିବ ‘କାଳିଆ’ ସହାୟତା, ଆକାଉଣ୍ଟ ଯିବା ଚଳିତ ବର୍ଷର ପ୍ରଥମ କିସ୍ତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟର ଚାଷୀମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟାରେ ଏକ ଭେଟି ଦିଆଯିବ । ଏହି ପବିତ୍ର ଦିନରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା ପ୍ରଦାନ କରାଯିବ । ଚାଷୀଙ୍କ ଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ । ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାରେ ସାମିଲ ଥିବା ଚାଷୀମାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯିବ । ଫଳରେ ରାଜ୍ୟର ୪୦ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । କାଳିଆ କିସ୍ତି ବାବଦରେ ରାଜ୍ୟ ସରକାର ୮୦୦ କୋଟି ଟଙ୍କା ପ୍ରଦାନ କରିବେ । ବର୍ଷକୁ ୨ଟି କିସ୍ତିରେ କାଳିଆ ସହାୟତା ରାଶି ଚାଷୀମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଖରିଫ ଚାଷ ପାଇଁ ୨ ହଜାର ଏବଂ ରବି ଚାଷ ପାଇଁ ୨ ହଜାର ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.