fbpx

କାଲିକାଟୁ ହିଲ୍ ଭିଉ: ଦିନେ ଥିଲା ଅଜଣା, ଏବେ ଅସମ୍ଭବ ଭିଡ଼

ଜି.ଉଦୟଗିରି(ଓଡ଼ିଶା ଭାସ୍କର): ଦିନେ ସେ ସ୍ଥାନ ଥିଲା ଲୋକ ନଜରର ଆଢୁଆଳରେ । ଆଜି ସେଇଠି ଅସମ୍ଭବ ଭିଡ଼ । ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହ ସେଲଫି ନେବାକୁ ଲୋକେ ଭୁଲୁନାହାନ୍ତି । ସେହି ନୂତନ ଦର୍ଶନୀୟ ସ୍ଥାନଟି ହେଉଛି କାଲିକାଟୁ ହିଲ୍ ଭିଉ ।

ଜି.ଉଦୟଗିରିଠାରୁ ମାତ୍ର ୭ କିଲୋମିଟର ଗଲେ ପଡ଼େ ମୁକୁଲୁଙ୍ଗିଆ । ସେହି ଗ୍ରାମ ପାଖରେ ନୂତନ ଭାବେ ଲୋକଲୋଚନକୁ ଆସିଛି କାଲିକାଟୁ ହିଲ ଭିଉ । ଏହି ସ୍ଥାନଟି ବର୍ତ୍ତମାନ ଲୋକଙ୍କ ନଜରକୁ ଆସିଛି । ପୂର୍ବରୁ କେହି ଏହି ସ୍ଥାନ ବିଷୟରେ ଅବଗତ ନଥିଲେ କି ସେଠାକୁ ଯିବାର ନଜିର ନଥିଲା । ଭୂମି ଠାରୁ ପ୍ରାୟ ୨୫୦ ମିଟର ଉଚ୍ଚତାରେ ରହିଛି ଏହି ହିଲ୍ ଭିଉ । ଉପରକୁ ଗଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାର ଓ ଡହ ଜଳ ଭଣ୍ଡାର ଦୃଶ୍ୟମାନ ହେଉଛି । ସେହିପରି ସାମାନ୍ୟ ବର୍ଷା ହେଲେ ମେଘର ଆସ୍ତରଣ ବିଛେଇ ହୋଇଯାଇଥାଏ । ସମ୍ପ୍ରତି ଶହଶହ ଲୋକଙ୍କ ସମାଗମ ହେଉଛି । ପ୍ରଥମେ ସୋସିଆଲ ମିଡିଆରେ ଏହି ସ୍ଥାନର ପ୍ରଚାର ପ୍ରସାର ହୋଇଥିଲା । ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ଚିହ୍ନଟ କରିବା ପାଇଁ ଲୋକମାନେ ଦାବି କରିଛନ୍ତି । ରାସ୍ତା ନିର୍ମାଣ, ପାନୀୟ ଜଳଯୋଗାଣ, ଭଲ ହୋଟେଲର ବ୍ୟବସ୍ଥା ଆଦି କରିପାରିଲେ ଆଗକୁ ଶୀତ ଋତୁରେ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବାବେଳେ ନୂତନ ଏହି ହିଲ ଭିଉ ନିଶ୍ଚୟ ଲୋକଙ୍କୁ ଆକ୍ରୃଷ୍ଟ କରିପାରିବ । ବର୍ତ୍ତମାନ କେତେକ ଲୋକ ଉକ୍ତ ଅଞ୍ଚଳରେ ଛୋଟିଆ ଦୋକାନ କରିଥିବାବେଳେ ଆଉ କେତେକ ଲୋକ ଯାନବାହନର ପାର୍କିଂ ପାଇଁ ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.