କ୍ଷମା ମାଗିବାକୁ ମନା କଲେ କମଲ ହାସନ, କର୍ଣ୍ଣାଟକରେ ରିଲିଜ୍ ହେବନି ଫିଲ୍ମ ‘ଠଗ୍ ଲାଇଫ’

କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ, କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ଆଜି କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି ଅଭିନେତା।

ନୂଆଦିଲ୍ଲୀ: କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ, କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ଆଜି କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି ଅଭିନେତା। କମଲ ହାସନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ। ଏଥିସହ ଜୁନ 5ରେ ରିଲିଜ ହେବାକୁ ଥିବା ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ ଲାଇଫ’ କର୍ଣ୍ଣାଟକରେ ରିଲିଜ୍ ହେବ ନାହିଁ ବୋଲି ସେ ରୋକ୍ ଠୋକ୍ କହିଦେଇଛନ୍ତି ।

ପ୍ରକାଶଥାଉକି, କମଲ ହାସନଙ୍କ ବୟାନକୁ ନେଇ କର୍ଣ୍ଣାଟକରେ ଜୋରଦାର ବିରୋଧ ଜାରି ରହିଛି। କମଲ ହାସନ କହିଥିଲେ ଯେ, କନ୍ନଡ ଭାଷା ତାମିଲ ଭାଷାରୁ ସୃଷ୍ଟି ହୋଇଛି। ଏହି କାରଣରୁ କର୍ଣ୍ଣାଟକରେ ତାଙ୍କ ଫିଲ୍ମର ରିଲିଜ୍‌କୁ ବିରୋଧ କରାଯାଉଛି ଏବଂ ରାଜ୍ୟରେ କମଲଙ୍କ ଫିଲ୍ମ ଉପରେ କଟକଣା ଲଗାଇବାକୁ ଦାବି ଉଠିଛି।

‘ଆମେ ସମସ୍ତେ ଏକ ଏବଂ ଗୋଟିଏ ପରିବାରର’

କମଲ ହାସନ କହିଛନ୍ତି, ମୋର ଶବ୍ଦର ଉଦ୍ଦେଶ୍ୟ କେବଳ  ଏହା ଜଣାଇବାର ଥିଲା ଯେ, ଆମେ ସମସ୍ତେ ଗୋଟିଏ ପରିବାରର। ମୁଁ କଦାପି କନ୍ନଡ଼କୁ ଦୁର୍ବଳ ଭାବେ ଚିତ୍ରଣ କରିବାକୁ ଚାହିଁନି। କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ଉପରେ କୌଣସି ବିବାଦ କିମ୍ବା ବିତର୍କ ନାହିଁ। ତାମିଲ ପରି କନ୍ନଡରେ ମଧ୍ୟ ଏକ ଗୌରବମୟ ସାହିତ୍ୟିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ମୁଁ ବହୁତ ଦିନ ଧରି ପ୍ରଶଂସା କରିଆସୁଛି।

କମଲ ହାସନ କନ୍ନଡ ଲୋକଙ୍କ ପାଇଁ ଏହା କହିଛନ୍ତି

ଅଭିନେତା ଆହୁରି କହିଛନ୍ତି- ‘ମୋର ପୁରା କ୍ୟାରିଅରରେ, ମୁଁ କନ୍ନଡ ଭାଷାଭାଷୀ ସମ୍ପ୍ରଦାୟ ଦ୍ୱାରା ମୋତେ ଦିଆଯାଇଥିବା ଭଲପାଇବା ଏବଂ ସ୍ନେହକୁ ମୁଁ ଆଦର କରିଛି, ଏବଂ ମୁଁ ଆତ୍ମବିଶ୍ୱାସର ସହିତ କହୁଛି ଯେ, ଭାଷା ପ୍ରତି ମୋର ପ୍ରେମ ସତ୍ୟ, ଏବଂ କନ୍ନଡ ଲୋକଙ୍କ ପାଇଁ ଏବଂ ସେମାନଙ୍କର ମାତୃଭାଷା ପାଇଁ ମୋର ବହୁତ ସମ୍ମାନ ଅଛି। ମୁଁ ସର୍ବଦା ସମସ୍ତ ଭାରତୀୟ ଭାଷା ପ୍ରତି ସମାନ ଭାବରେ ସମ୍ମାନ କରେ ।

‘ଠଗ୍ ଲାଇଫ୍’ ଅଭିନେତା ଏହା ମଧ୍ୟ ଲେଖିଛନ୍ତି ଯେ, “ମୁଁ ସିନେମାର ଭାଷା ଜାଣେ ଏବଂ କହିଥାଏ। ସିନେମା ଏକ ବିଶ୍ୱବ୍ୟାପୀ ଭାଷା ଯାହା କେବଳ ବନ୍ଧନ ଜାଣେ। ମୋର ବକ୍ତବ୍ୟ ମଧ୍ୟ ଆମ ସମସ୍ତଙ୍କ ମଧ୍ୟରେ ସେହି ବନ୍ଧନ ଏବଂ ଏକତା ସ୍ଥାପନ କରିବା ଥିଲା”।

ଅଭିନେତାଙ୍କ ଓକିଲ ଅଦାଲତରେ କହିଛନ୍ତି ଯେ, କମଲ ହାସନ କନ୍ନଡ଼ର ବହୁତ ସମ୍ମାନ କରନ୍ତି ଏବଂ ଏହି ବିଷୟରେ କିଛି କହିବାର ଆଉ କୌଣସି ଆବଶ୍ୟକତା ନାହିଁ। ଅଭିନେତା କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏହା ଉପରେ ଅଦାଲତ କହିଛନ୍ତି, ଏହା ଆପଣଙ୍କ ଅହଙ୍କାର ହିଁ କଥା କହୁଛି। ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଏବେ ଆମକୁ ଆଉ ସୁରକ୍ଷାର ଆବଶ୍ୟକତା ନାହିଁ, କାରଣ ଆମେ କର୍ଣ୍ଣାଟକରେ ଫିଲ୍ମ ରିଲିଜ୍ କରୁନାହୁଁ। ଜୁନ 10ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।