fbpx

ପୁଣି ଚମକିଲେ ଆଉ ଜଣେ ଓଡ଼ିଆ ପ୍ରତିଭା: କମଳା ଶତପଥୀ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର-୨୦୨୨

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ସାଧନା କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ କରିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଓଡ଼ିଆ ପ୍ରତିଭା । ଏହା ପୂର୍ବରୁ ଓଡ଼ିଆ ବିଭାଗରେ ଡଃ ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଘୋଷିତ ହୋଇଥିଲେ । ଗାୟତ୍ରୀବାଳା ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି କୃତିତ୍ୱ ହାସଲ କରିଥିଲେ ।

ତେବେ ପୁଣି ଜଣେ ଓଡ଼ିଆ ସାରସ୍ୱତ ସାଧିକା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ସାହିତ୍ୟିକା କମଳା ଶତପଥୀ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର-୨୦୨୨ । ବିଶିଷ୍ଟ ଐପନ୍ୟାସିକ ସଇଦ ସଲିମଙ୍କ ରଚିତ ତେଲୁଗୁ ଉପନ୍ୟାସ ‘ଭେଣ୍ଡି ମେଘମ’ର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ ଶ୍ରୀମତୀ ଶତପଥୀ ଏହି ପୁରସ୍କାର ପାଇବେ । ପୁରସ୍କାର ଭାବେ କମଳାଙ୍କୁ ନଗଦ ୫୦ ହଜାର ଟଙ୍କାର ଅର୍ଥରାଶି ଓ ତାମ୍ରଫଳକ ପ୍ରଦାନ କରାଯିବ ।

ଗତ ୧୯୬୩ ମସିହା ଜୁଲାଇ ମାସ ୧ ତାରିଖରେ ବାରଙ୍ଗରେ ଜନ୍ମଲାଭ କରିଥିଲେ କମଳା । ସେ ଦର୍ଶନରେ ସ୍ନାତକୋତ୍ତର କରିବା ସହ ସାହିତ୍ୟ ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ପାଠକଙ୍କ ନିକଟରେ ପହଞ୍ଚିପାରିଛନ୍ତି । ସେ ଏକାଧାରରେ ଜଣେ ଗାଳ୍ପିକା, ଐପନ୍ୟାସିକା, କବି ଓ ଅନୁବାଦିକା । ତାଙ୍କର ଅନ୍ୟ ଗଳ୍ପ ସଂକଳନ ମଧ୍ୟରେ ‘ଗୋଟିଏ ପାପର କାହାଣୀ’, ‘ସମ୍ପର୍କର ଦୋ ଛକିରେ ମଣିଷ’, ‘ମହାପାତ୍ର ବାବୁଙ୍କ ହାଲଚାଲ’, ‘ସଲାମ ମୁମ୍ବାଇ’, ‘ମାୟା ନଗରୀ କୋଳେ’ ‘ଅଧାକାନ୍ଥି ଘର’ ଆଦି ଅନ୍ୟତମ । ତେବେ ଦୁଇ ଓଡ଼ିଆ ସାରସ୍ୱତ ସାଧିକା ଗାୟତ୍ରୀବାଳା ଓ କମଳା ରାଜ୍ୟର ସାରସ୍ୱତ କୃତୀକୁ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ।

Get real time updates directly on you device, subscribe now.