fbpx

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ କଙ୍ଗନା ଦେଲେ ଏଭଳି ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବୁଧବାର ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ପଞ୍ଜାବରେ ସଡ଼କ ପଥରେ ଯାଉଥିବା ସମୟରେ ସୁରକ୍ଷାରେ ତ୍ରୁଟି କାରଣରୁ ଏକ ଫ୍ଲାଏଓଭର ଉପରେ ତାଙ୍କୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫସିରହିବାକୁ ପଡ଼ିଥିଲା । ବିଜେପି ଏହି ମାମଲାକୁ ନେଇ ପଞ୍ଜାବ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଥିବାବେଳେ ପଞ୍ଜାବ ସରକାର ଏହି ମାମଲାରେ ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି । ଏହି ମାମାଲା ଏବେ କୋର୍ଟରେ ପହଞ୍ଚିଲାଣି । ସେପଟେ ଏହି ମାମଲାରେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି ।

କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ସେ କହିଛନ୍ତି ‘ପଞ୍ଜାବରେ ଯାହା ଘଟିଲା ତାହା ବହୁତ ଲଜ୍ଜାଜନକ କଥା, ଆଦରଣୀୟ ପ୍ରଧାନମନ୍ତ୍ରୀ ଲୋକତନ୍ତ୍ରରୁ ଚୟନ ହୋଇଥିବା ନେତା । ତାଙ୍କ ଉପରେ ଆକ୍ରମଣ ହେବା ଅର୍ଥ ଭାରତୀୟଙ୍କ ଉପରେ ଆକ୍ରମଣ ହେବା ସହ ସମାନ, ଏହା ଆମ ଲୋକତନ୍ତ୍ର ଉପରେ ମଧ୍ୟ ଆକ୍ରମଣ । ପଞ୍ଜାବ ଆତଙ୍କୀ ଗତିବିଧି ଗଡ଼ ପାଲଟିଲାଣି । ଯଦି ଏବେ ଆମେ ତାଙ୍କୁ ଏବେ ନ ଅଟକାଇବା ତେବେ ରାଜ୍ୟକୁ ଏଥିପାଇଁ ସମସ୍ୟା ହୋଇପାରେ ।’

ଉଲ୍ଲେଖଯୋଗ୍ୟ, କଙ୍ଗନା ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଥାନ୍ତି । କୃଷକ ମାନେ ପ୍ରଦର୍ଶନ କରୁଥିବା ସମୟରେ ମଧ୍ୟ ସେ ଅନେକ ପୋଷ୍ଟ ଶେୟାର କରିଥିଲେ, ଏମିତିକି ପ୍ରଦର୍ଶନକାରୀଙ୍କୁ ଖାଲିସ୍ତାନୀ ବୋଲି ମଧ୍ୟ କହିଥିଲେ । କଙ୍ଗନା ମଧ୍ୟ ପଞ୍ଜାବରେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଘେରିଯାଇଥିଲେ । ଗତ ମାସରେ ଏକ ଭିଡିଓ ଶେୟାର ହୋଇଥିଲା । ଯେଉଁଥିରେ ତାଙ୍କ କାରକୁ କିଛି ଲୋକମାନେ ଘେରିରହିଥିଲେ । କଙ୍ଗନା କହିଥିଲେ ଏହି ଲୋକମାନେ ତାଙ୍କୁ କ୍ଷମା ମାଗିବା ପାଇଁ କହିଥଲେ ଏବଂ ସେମାନେ ନିଜକୁ କୃଷକ ବୋଲି କହୁଥିଲେ ।

Get real time updates directly on you device, subscribe now.