fbpx

ମାତ୍ର ୧୨୦୦ ଟଙ୍କା ପାଇଁ ମହିଳାଙ୍କୁ କଲେ ଲଣ୍ଡା, ସାମ୍ନାକୁ ଆସିଲା ଭିଡିଓ

ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ଟଙ୍କା ପାଇଁ ଲୋକମାନେ ନିଜ ମଣିଷପଣିଆକୁ ବି ଭୁଲି ଯାଆନ୍ତି, ଯାହାର ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ମାତ୍ର ୧୨୦୦ ଟଙ୍କା ପାଇଁ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କରିବାକୁ ପଛାଇନାହାନ୍ତି ଅନ୍ୟ ମହିଳା । ଟଙ୍କା ପାଇଁ କଙ୍ଗାରୁ କୋର୍ଟରେ ହୋଇଥିବା ଏଭଳି ଲଜ୍ଜାଜନକ ଘଟଣାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଆଜିକାଲିର ଶିକ୍ଷିତ ପରିବେଶରେ ଏପରି କାର୍ଯ୍ୟକୁ ଦେଖି ଲୋକମାନେ ନିନ୍ଦା କରିଛନ୍ତି ।

ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ବେଲତଳ ହାଡିସାହି ଅଞ୍ଚଳର ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଜଣେ ମହିଳା ନିଜର କୌଣସି ଆର୍ଥିକ ସମସ୍ୟା କାରଣରୁ ୧୨୦୦ ଟଙ୍କା ଉଧାର ନେଇଥିଲେ । ଲୋକଙ୍କ ଠାରୁ ଉଧାର ନେଇଥିବା ଟଙ୍କାକୁ ସେ ପରବର୍ତ୍ତୀ ସମୟରେ ଫେରାଇପାରିନଥିଲେ । ଏହି କାରଣରୁ ଉଧାର ଦେଇଥିବା ଲୋକମାନେ ଟଙ୍କା ପାଇଁ କଙ୍ଗାରୁ କୋର୍ଟ ବସାଇଥିଲେ ଓ ଗାଁ ଦାଣ୍ଡରେ ମହିଳାଙ୍କୁ ଲଣ୍ଡା କରିଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହାର ସୂଚନା ମିଳିବା ମାତ୍ରେ ଘଟଣାରେ ସମ୍ପୃକ୍ତ ଥିବା ୧୦ ଜଣଙ୍କୁ ଅଟକ ରଖିଛି ପୋଲିସ । ଆଇନକୁ ନିଜ ହାତରେ ନେବା ଅଭିଯୋଗରେ ସେମାନଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଥାନାରେ ଆଇପିସି ଧାରା ୩୪୨, ୨୯୪, ୩୫୪, ୩୫୫, ୩୨୩, ୩୭୯, ୩୪ଆଇପିସି, ୬୬ଇ, ୬୭ରେ ମାମଲା ରୁଜୁ କରାଯାଇଛି । ଏନେଇ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.